ଭୁବନେଶ୍ବର: ଆଜି କେନ୍ଦ୍ର ସାହିତ୍ୟ ଅକାଦେମି ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି | ବିଶ୍ବବିଦ୍ୟାଳୟର ନୂତନ ପ୍ରେକ୍ଷାଳୟରେ ଆୟୋଜିତ ଏହି ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ ପ୍ରଖ୍ୟାତ ଓଡ଼ିଆ ଲେଖିକା ପଦ୍ମଭୂଷଣ ପ୍ରତିଭା ରାୟ | ସେ କହିଥିଲେ ଯେ ନାରୀମାନେ ହେଉଛନ୍ତି ଦେଶର ନୈତିକ ଶକ୍ତି | କୁନ୍ତଳା କୁମାରୀ ସାବତ, ସରଳା ଦେବୀ, ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣା, ପାର୍ବତୀ ଗିରି ଆଦି ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀମାନଙ୍କ ସମ୍ପର୍କରେ ସେ ଆଲୋକପାତ କରିଥିଲେ | କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ସାହିତ୍ୟ ଅକାଦେମିର ସଭାପତି ଡ. ମାଧବ କୌଶିକ |
ସେ କହିଥିଲେ ଯେ ମହିଳାମାନଙ୍କ ଅବଦାନ ଓ ତ୍ୟାଗ ବିନା ସ୍ବାଧୀନତା ସଂଗ୍ରାମ ସଫଳ ହୋଇପାରି ନଥାନ୍ତା | ସାହିତ୍ୟ ଅକାଦେମି ତରଫରୁ ପ୍ରଥମ ଥର ପାଇଁ ମହାନ ସ୍ବାଧୀନତା ସଂଗ୍ରାମୀ ରମାଦେବୀଙ୍କ ନାମରେ ନାମିତ ବିଶ୍ବବିଦ୍ୟାଳୟରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେଉଛି | ଅକାଦେମି ସ୍ଵୀକୃତ ଅନ୍ୟାନ୍ୟ ଭାଷାରେ ମଧ୍ୟ ଭାରତୀୟ ମହିଳା ସ୍ବାଧୀନତା ସଂଗ୍ରାମୀମାନଙ୍କ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଏହା ବାଟ ଦେଖାଇବ | ଗାନ୍ଧୀବାଦ ସମ୍ପର୍କରେ ସେ ଯୋଡ଼ିଥିଲେ ଯେ ଏହି ବିଚାର ଓ ଜୀବନ ଶୈଳୀ ନର୍କକୁ ନାରାୟଣରେ ରୂପାନ୍ତରିତ କରିଦିଏ | ଏହି ଅଧିବେଶନରେ ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡ. ଗୌରହରି ଦାସ | ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଜ୍ୟୋତ୍ସ୍ନା କୁମାରୀ ବିଶ୍ବାଳ ରାଉତ | ମୂଳ ଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ ଓଡ଼ିଆ ଲେଖକ ଓ ସ୍ତମ୍ଭକାର ଦାଶ ବେନହୁର | ଆଲୋଚ୍ୟ ବିଷୟରେ ବିସ୍ତୃତ ବିବରଣୀ ଉପସ୍ଥାପନ ପୂର୍ବକ ଗଡ଼ଜାତ ଅଞ୍ଚଳର ସଂଗ୍ରାମୀ ନାରୀମାନଙ୍କ ସମ୍ପର୍କରେ ଅଧିକ ଗବେଷଣା ଜରୁରୀ ବୋଲି ସେ ମତ ଦେଇଥିଲେ |
ସ୍ବାଗତ ଭାଷଣ ଦେଇଥିଲେ ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ଯାଳୟର ସହକାରୀ ସମ୍ପାଦକ କ୍ଷେତ୍ରବାସୀ ନାଏକ | ସମ୍ମାନିତ ଅତିଥି ଭାବରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ର. ଚଣ୍ଡୀ ଚରଣ ରଥ ଯୋଗ ଦେଇଥିବା ବେଳେ ଉଦଘାଟନୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ବବିଦ୍ୟାଳୟର କୁଳସଚିବ ଶ୍ରୀମତୀ ମନସ୍ଵିନୀ ସାହୁ | କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ପ୍ର. ଯତୀନ୍ଦ୍ର କୁମାର ନାୟକ ଏବଂ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଡ. ବୈଷ୍ଣବ ଚରଣ ମହାନ୍ତି, ପ୍ର. ବିଜୟ କୁମାର ଶତପଥୀ ଏବଂ ପ୍ର. ସଂଘମିତ୍ରା ମିଶ୍ର | ପ୍ରଥମ ଅଧିବେଶନରେ ଡ. ସସ୍ମିତା କର ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡ. ସରୋଜିନୀ ପାଣି | ସେହିଭଳି ଦ୍ବିତୀୟ ଅଧିବେଶନରେ ଡ. ବାସନ୍ତୀ ମହାନ୍ତି, ଡ. ବାସୁଦେବ ସୁନାନୀ ଏବଂ ଡ. ସଂଘମିତ୍ରା ଭଞ୍ଜ ପ୍ରବନ୍ଧ ଉପସ୍ଥାପନ କରିଥିବା ବେଳେ ସଭାପତିତ୍ଵ କରିଥିଲେ ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ଵରଞ୍ଜନ | ଏଥିରେ ଡ. ପୁଷ୍ପିତା ଶୁକ୍ଳ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସୁଲତା ସାହୁ |










