24.1 C
Bhubaneswar
Wednesday, October 23, 2024
Homeଓଡିଶାବିଜେଡିକୁ ବିଜେପି ଦେଖାଇଲା ଝଲକ

ବିଜେଡିକୁ ବିଜେପି ଦେଖାଇଲା ଝଲକ

ଭୁବନେଶ୍ୱର: ନିର୍ବାଚନ ପରେ ଏବେ ବିଜେପି-ବିଜେଡି ରାଜନୀତି କ୍ରମେ ସରଗରମ ହେଉଥିବା ଦେଖାଦେଇଛି । ବିଜେଡିକୁ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରିବ ବୋଲି ଯେଉଁ ଚର୍ଚ୍ଚା ଜୋର୍ ଧରିଥିଲା । ଏହି ଚର୍ଚ୍ଚାର ସତ୍ୟତା ନେଇ ଏବେ ସୂଚନା ମିଳୁଛି । ବିଜେଡିକୁ ଏହାର ‘ଟେଲର’ ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତଙ୍କ ଇସ୍ତଫାରୁ ବିଜେପି ଦେଖାଇଛି । ଏକଥାକୁ ବିଜେଡି ଅନୁଭବ କଲାଣି । ମମତାଙ୍କ ଇସ୍ତଫା ପଛରେ ବିଜେପିର ହାତ ଥିବା କଥା ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦେଇଥିବା ବକ୍ତବ୍ୟରେ ଏହି ସୂଚନା ମିଳିଛି ।

ନିର୍ବାଚନ ସମୟରେ ବିଜେପି ଯେପରି ହେଉ କ୍ଷମତାକୁ ଆସିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ସମୟରେ ଘୋଷଣା କରିଥିଲେ । ସେତେବେଳ କୁହାଯାଉଥିଲା ଏପରିକି ବିଜେଡି ନେତାମାନେ ଏହାକୁ ନେଇ ଆକଳନ କରିଥିଲେ ଯେ ଦଳ ଯଦି ନିର୍ବାଚନରେ ଅଳ୍ପ ସଂଖ୍ୟା ପାଇ ସରକାର ଗଢ଼େ ତେବେ ବିଜେଡିକୁ ବିଜେପି ଭାଙ୍ଗିଦେବ । ଏଥିପାଇଁ ଅଧିକ ସଂଖ୍ୟାରେ ବିଜେଡିକୁ ଜିତାଇବା ପାଇଁ ଲୋକଙ୍କୁ ପ୍ରଚାର ସମୟରେ ନିବେଦନ କରାଯାଉଥିଲା । ନିର୍ବାଚନ ସରିଲା ପରେ ବିଜେପି କ୍ଷମତାକୁ ଆସିଲା । ହେଲେ ବିଜେଡି ମନରୁ ଦଳ ଭାଙ୍ଗିବା ଆଶଙ୍କା ଦୂର ହେଉ ନଥିଲା । ବିଜେପି ସିନା କ୍ଷମତାକୁ ଆସିଲା ହେଲେ ଆଖି ଦୃଶିଆ ଆସନ ପାଇଲା ନାହିଁ । ସରକାର ଗଢ଼ିବା ପାଇଁ ୭୪ ଆସନ ଆବଶ୍ୟକ ଥିଲାବେଳେ ବିଜେପିକୁ ୭୮ ଆସନ ମିଳିଲା ଓ ୩ ସ୍ୱାଧୀନ ବିଜେପିକୁ ସମର୍ଥନ ଦେଉଥିବାରୁ ସଂଖ୍ୟା ୮୧ ହୋଇଛି । କିନ୍ତୁ ବିଜେପି ମନରେ ସଂଖ୍ୟାକୁ ନେଇ ଆଶଙ୍କା ରହିଛି । ଏଣୁ ସଂଖ୍ୟା ବଢ଼ାଇବା ପାଇଁ ବିଜେପି ଯୋଜନାରେ ରହିଛି । ମହାରାଷ୍ଟ୍ରରେ ଶିବସେନାଙ୍କୁ ଯେପରି ଭାଙ୍ଗିଥିଲା ସେହି ଢ଼ଙ୍ଗରେ ଓଡ଼ିଶାରେ ବିଜେଡିକୁ ଭାଙ୍ଗିବା ପାଇଁ ଯୋଜନା ରଖିଥିବା କଥା କୁହାଯାଉଛି । ସେଥିପାଇଁ ଦଳ ସରକାର ଗଠନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ମନ୍ତ୍ରିମଣ୍ଡଳରେ ରହିବା ସ୍ଥାନରେ ୧୬ ଜଣ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖାଯାଇଛି । କୁହାଯାଉଛି ମନ୍ତ୍ରୀ ପଦ ଓ ଅର୍ଥ ଲୋଭ ଦେଖାଇ ବିଜେଡି ବିଧାୟକ ଦଳକୁ ଭାଙ୍ଗିବା ପାଇଁ ଯୋଜନା ରଖି ଏପରି କରାଯାଇଛି । ବିଜେପି ଚାହିଁଛି ନିଜସ୍ୱ ସଂଖ୍ୟା ୭୮ରେ ସୀମୀତ ନରଖି ୧୦୦କୁ ଟପିବା ପାଇଁ । ଅନ୍ୟପଟରେ ବିଜେଡିର ହାରିଥିବା ବିଧାୟକ ପ୍ରାର୍ଥୀମାନେ ଇତିମଧ୍ୟରେ ବିଜେପିର ଅନେକ ବିଧାୟକଙ୍କ ବିରୋଧରେ କୋର୍ଟରେ ନିର୍ବାଚନୀ ମାମଲା ରୁଜୁ କରି ସାରିଲେଣି । ଅନ୍ୟପଟରେ ନିର୍ବାଚନ ସମୟରେ ବିଜେଡିରୁ ଆସି ବିଜେପିରୁ ଛିଡ଼ାହୋଇ ଜିତିଥିବା କିଛି ବିଧାୟକ ଅଛନ୍ତି । ସେମାନଙ୍କ ଉପରେ ମଧ୍ୟ ବିଜେପିର ସମ୍ପୂର୍ଣ୍ଣ ଭରଷା ପାଉନାହିଁ । ଏଣୁ ସଂଖ୍ୟା ୧୦୦ରୁ ଅଧିକ ରଖି ନିରାପଦରେ ରହିବା ପାଇଁ ବିଜେପି ନେତୃବୃନ୍ଦ ଯୋଜନା ରଖିଥିବା କଥା କୁହାଯାଉଛି ।

ଏଣୁ ଏହାର ଝଲକ ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତଙ୍କ ଇସ୍ତଫାରୁ ବିଜେପି ଦେଖାଇଛି । ମମତାଙ୍କର କାର୍ଯ୍ୟକାଳ ୨୦୨୬ ଏପ୍ରିଲ୍‌ରେ ସରିବାର ଥିଲା । ଏଣୁ ଏତେ ଆଗରୁ ସେ ଇସ୍ତଫା ଦେବା ପଛରେ ବିଜେପିର ଷଡ଼ଯନ୍ତ୍ର ବାରି ହୋଇପଡ଼ୁଛି ବୋଲି ବିଜେଡି ନେତା ବଶେ୍ ଅନୁଭବ କରିଛନ୍ତି । ଆଲୋଚନା ହେଉଛି କୁଆଡ଼େ ନିର୍ବାଚନ ହାରିଯାଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରାଜ୍ୟସଭାକୁ ଆଣିବା ଓ ଦଳର ସଂଖ୍ୟା ରାଜ୍ୟସଭାରେ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟସଭା କାର୍ଯ୍ୟକାଳ ପୁରି ନଥିବା ବେଳେ ଜଣେ ସାଂସଦ ଇସ୍ତଫା ଦେଇଥିବାରୁ ବିଧାୟକ ଦଳକୁ ଭାଙ୍ଗିବାରେ ବିଜେପି ସଫଳ ହୋଇପାରେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି । କାରଣ ବିଜେଡିରେ ଏବେ ବି ଅନେକ ଅସନ୍ତୁଷ୍ଟ ଅଛନ୍ତି । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କ୍ଷମତାରୁ ଯିବା ପରେ ଭି.କେ ପାଣ୍ଡିଆନ୍‌ଙ୍କ ମୋହ ଛାଡ଼ି ପାରି ନାହାଁନ୍ତି । ସେ ଏବେ ବି ତାଙ୍କ କବ୍‌ଜାରେ ଅଛନ୍ତି । ଦଳକୁ ତାଙ୍କ ଇସାରାରେ ନବୀନ ପରିଚାଳିତ କରୁଥିବା କଥା ବି ଅନେକ ବିଜେଡି ନେତା ଅନୁଭବ କରୁଛନ୍ତି । ନିକଟରେ ଦଳ ପକ୍ଷରୁ ବିଧାୟକମାନଙ୍କୁ ଯେପରି ବିଭିନ୍ନ ବିଭାଗ ର ନଜର ରଖିବା ପାଇଁ ଦାୟିତ୍ୱ ଦିଆଗଲା ତାହା ନବୀନଙ୍କ କାର୍ଯ୍ୟ ନୁହେଁ, ପାଣ୍ଡିଆନଙ୍କର ବୋଲି କୁହାଯାଉଛି।ଏପରିକି ଦଳୀୟ ବୈଠକ ରେ ବିଧାୟକମାନଙ୍କୁ ଖୋଲା ଖୋଲି ଭାବେ ମତ ରଖିବାକୁ ମଧ୍ୟ ଦିଆଯାଉନି। ସବୁଠୁ ବଡ଼ କଥା ହେଲା ଏତେ ଘଟଣା ପରେବି ଗଣମାଧ୍ୟମ ରେ ମୁହଁଖୋଲି ପାଣ୍ଡିଆନଙ୍କ ସପକ୍ଷରେ ନବୀନ ଯେପରି ମତ ରଖିଲେ ସେଥିରୁ ମଧ୍ୟ ସ୍ପଷ୍ଟ ହୋଇଛି ବୋଲି ଆଲୋଚନା ହେଉଛି। ଦଳର ପରାଜୟ କାରଣ ସମୀକ୍ଷା ଏଥିପାଇଁ କରାଗଲା ନାହିଁ । ଏହାର ସୁଯୋଗ ବିଜେପି ନେବା ପାଇଁ ଲକ୍ଷ୍ୟ ରଖିଛି । ଖୁବ୍‌ଶୀଘ୍ର ଚାଲ୍ ଚଲାଇବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking