ଭୁବନେଶ୍ୱର :ରାଜ୍ୟରେ ରାସନକାର୍ଡ ଅପେକ୍ଷାରେ ଅନେକ ହିତାଧିକାରୀ । ୬ ଲକ୍ଷରୁ ଉର୍ଦ୍ଧ ପରିବାର ରାସନ୍ କାର୍ଡ ପାଇବା ଅପେକ୍ଷାରେ ଅଛନ୍ତି । ରାଜ୍ୟର ୬ ଲକ୍ଷ ୧୯ ହଜାର ୮୩୬ ପରିବାର ରାସନ୍ କାର୍ଡ ପାଇଁ ଆବେଦନ କରିବା ସହିତ ରାସନ୍ କାର୍ଡ ପାଇବାକୁ ଅପେକ୍ଷା କରିଛନ୍ତି । ଏନେଇ ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।ବୁଧବାର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କେତେ ଖାଉଟି ଉପକୃତ ହେଉଛନ୍ତି । ଏଥିସହ ଏପର୍ଯ୍ୟନ୍ତ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ କେତେ ଜଣ ଅପେକ୍ଷାରତ ଅଛନ୍ତି । ଏହାର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ୯୨ ଲକ୍ଷ ୬୬ ହଜାର ୪୯୧ ପରିବାରର ୩,୨୫,୯୩,୮୭୫ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ ଲକ୍ଷ ୧୫ ହଜାର ୨୩୭ ପରିବାରର ୧୦,୦୨,୧୪୪ ହିତାଧିକାରୀ ଉପକୃତ ହେଉଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ୬ ଲକ୍ଷରୁ ଅଧିକ ପରିବାର ଆବେଦନ କରି ଅପେକ୍ଷାରେ ଅଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।