32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶକାଉଡିଆ ଦୋକାନରେ ମାଲିକଙ୍କ ନାଁ ଲେଖିବା ପ୍ରସଙ୍ଗ; ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍‌

କାଉଡିଆ ଦୋକାନରେ ମାଲିକଙ୍କ ନାଁ ଲେଖିବା ପ୍ରସଙ୍ଗ; ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍‌

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କ ଏକ ନିର୍ଦ୍ଦେଶ ଉପରେ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ରୋକ୍ ଲଗାଇଦେଇଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଥିବା ବୋଲବମ୍ ଦୋକାନୀମାନେ ନିଜ ନାମକୁ ଦୋକାନ ଆଗରେ ଏକ ବୋର୍ଡରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ଏହାକୁ ନେଇ ଜାତିବାଦ ବିବାଦ ମଧ୍ୟ ଆରମ୍ଭ ହୋଇଯାଇଥିଲା । ତେବେ ଏସମ୍ପର୍କରେ ଆଗତ ଏକ ପିଟିସନ୍ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗୁ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପୁଲିସ୍ କିମ୍ବା ପ୍ରଶାସନ କେବେହେଲେ ସ୍ଥାନୀୟ ଦୋକାନୀ ଓ ଦୋକାନ ମାଲିକଙ୍କୁ ନାମଫଳକ ଲଗାଇବାକୁ ବାଧ୍ୟ କରିପାରିବେ ନାହିଁ । ପୁଲିସ କେବଳ ଖାଦ୍ୟ ସାମଗ୍ରୀ ସମ୍ପର୍କରେ ଉଲ୍ଲେଖ କରିବାକୁ କହିପାରିବ । ତେବେ ଆସନ୍ତା ଶୁକ୍ରବାର ଯାଏ ଏହି ରହିତାଦେଶ ଜାରି ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ପ୍ରକାଶ, ସମ୍ପ୍ରତି ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ କାଉଡିଆମାନେ ମହାଦେବଙ୍କ ଜଳାଭିଷେକ ଲାଗି କାଉଡି ଯାତ୍ରା ଆରମ୍ଭ କରିଛନ୍ତି । କିନ୍ତୁ ଏପରି ସମୟରେ ରାସ୍ତାରେ ଥିବା ଦୋକାନୀମାନଙ୍କୁ ସେମାନଙ୍କ ନାଁ ବଡ଼ବଡ଼ ଅକ୍ଷରରେ ଉଲ୍ଲେଖ କରିବାକୁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି ମୁଜାଫରନଗର ଜିଲ୍ଲାରେ ଥିବା ଦୋକାନୀମାନଙ୍କ ପାଇଁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା । ତେବେ ଏହାକୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା । ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱୈସୀ କହିଥିଲେ ଯେ ଏପରି ନିର୍ଦ୍ଦେଶ ଜାରି କରି ଜାତିଗତ ବିଭେଦ ସୃଷ୍ଟି କରାଯାଉଛି ।
ମୁସଲିମ ଦୋକାନୀମାନଙ୍କ ଠାରୁ ଯେମିତି କାଉଡ଼ିଆମାନେ ଜିନିଷ ନ କିଣିବେ, ତା’ର ବ୍ୟବସ୍ଥା ହୋଇଛି । ନାଜି ଜର୍ମାନୀରେ ଯେମିତି ଇହୁଦୀମାନଙ୍କ ଠାରୁ କିଣିବାକୁ ବାରଣ କରାଯାଇଥିଲା, ଠିକ ସେମିତି ନିର୍ଦ୍ଦେଶ ଜାରି ହୋଇଛି ବୋଲି ସେ କହିଥିଲେ । ଏହା ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଆଗତ କରାଯାଇଥିଲା । ଏହାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏହା ଉପରେ ରୋକ୍ ଲଗାଇ ଦେଇଛନ୍ତି । ଏଥିସହ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking