34.1 C
Bhubaneswar
Friday, October 18, 2024
Homeଓଡିଶାଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ୱର : ସୋମବାର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି ଓ ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ମଙ୍ଗଳବାର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଆସନ୍ତାକାଲି ଅର୍ଥାତ ବୁଧବାରଠାରୁ ପୁଣି ବର୍ଷାର ପ୍ରକୋପ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ଆସନ୍ତା ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହା ପ୍ରଭାବରେ ୧୯ ତାରିଖରେ ଦ୍ୱିତୀୟ ଲଘୁଚାପ ସୃଷ୍ଟି ହେବ । ଏହା ଦ୍ୱାରା ରାଜ୍ୟରେ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଅନୁଭୂତ ହେବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ପରିବ୍ୟାପ୍ତ ରହିଛି । ଏହା କ୍ରମଶଃ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବ ଓଡ଼ଶା ଉପରେ ପଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ କେଉଁ ଜିଲ୍ଲାରେ ବର୍ଷା ଓ ପବନ ହେବ ସେନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଦୁଇଟି ଯାକ ଲଘୁଚାପ ଯୋଗୁଁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ସମ୍ଭବତଃ ଉତ୍ତର ଆଭ୍ୟନ୍ତରୀଣରେ ଅପେକ୍ଷାକୃତ କମ୍ ବର୍ଷା ହେବ । ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଏହି ଲଘୁଚାପର ପ୍ରଭାବ ଭଲ ରହିବା ଯୋଗୁଁ ଏଠାରେ ଭାରି ବର୍ଷାର ସମ୍ଭାବନା ରହିଛି । ସେହିପରି ୨୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହା ପ୍ରଭାବରେ ୨୪ କିମ୍ବା ୨୫ରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ସଂଲଗ୍ନ ପଶ୍ଚିମବଙ୍ଗରେ ସୃଷ୍ଟି ହେବ । ପ୍ରାଥମିକ ଆକଳନ ଅନୁଯାୟୀ ଏହି ଲଘୁଚାପ ଯୋଗୁଁ ଉତ୍ତର ଓଡ଼ିଶାରେ ଭାରି ବର୍ଷା ହେବ । ଏହା ଦ୍ୱାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ଭରଣା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି । ଅପରପକ୍ଷେ ୧ ଜୁନରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୭୨.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ନିଅଣ୍ଟିଆ ବର୍ଷାକୁ ନେଇ ବାଲେଶ୍ୱରରେ ସ୍ଥିତି ଉତ୍କଟ ଥିବା ବେଳେ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୪୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୧୮, ନୟାଗଡ଼ରେ ୧୭, ତାଳଚେର ୧୫, ଭବାନୀପାଟଣା ୧୩ ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking