ଭୁବନେଶ୍ୱର: ୨୦୦ ଟଙ୍କା ନଦେବାରୁ ସ୍ତ୍ରୀକୁ ଆକ୍ରମଣ କରିବା ଅଭିଯୋଗରେ ଆଜି ସ୍ୱାମୀଙ୍କୁ ଗିରଫ କରି କୋର୍ଟା ଚାଲାଣ କରିଛି ଭରତପୁର ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳର ରଞ୍ଜନ ଡାକୁଆ(୩୦) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ଗତ କିଛି ବର୍ଷ ପୂର୍ବେ ଅଭିଯୁକ୍ତ ରଞ୍ଜନଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ବାପ ଘରୁ ଅଧିକ ଯୌତୁକ ଆଣିବା ଲାଗି ଦାବି କରି ଅଭିଯୁକ୍ତ ଜଣକ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଅଭିଯୁକ୍ତ ଜଣକ ନିୟମିତ ଭାବେ ନିଶା ସେବନ କରୁଥିବାରୁ ରୋଜଗାର କରୁଥିବା ସମସ୍ତ ଟଙ୍କା ସେ ସେହି ବାଟରେ ଖର୍ଚ୍ଚ କରିଦେଉଥିଲେ । ଯାହାଫଳରେ ସେ ନିଜ ସ୍ତ୍ରୀ କିମ୍ବା ସନ୍ତାନର ଖର୍ଚ୍ଚ ବହନ କରିବା ଲାଗି ଅସମର୍ଥ ଥିଲେ । ଏଣୁ ଅଭିଯୋଗକାରିଣୀ ଘରଘର ବୁଲି କାମ କରିବା ଆରମ୍ଭ କରିଥିଲେ । ଅଭିଯୋଗକାରିଣୀ ଯାହାବି ପରିଶ୍ରମିକ ଆଣୁଥିଲେ, ଅଭିଯୁକ୍ତ ଜଣକ ଜୋର ଜବରଦସ୍ତ ତାଙ୍କ ଠାରୁ ଛଡେଇ ନେଇଯାଉଥିଲେ । ଗତ ୧୧ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ୨୦୦ଟଙ୍କା ମାଗିଥିଲେ । ଅଭିଯୋଗକାରିଣୀ ଜଣକ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତ ତାଙ୍କୁ ଏକ ଲୁହା ଛଡ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ଅଭିଯୋଗକାରିଣୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ଘଟଣାର ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିଥିଲେ ।