31.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶଇଟାଲୀରେ ୩୩ ଭାରତୀୟ କୃଷି ଶ୍ରମିକ ଉଦ୍ଧାର; କ୍ରୀତଦାସ ଭାବେ କାମ କରୁଥିଲେ, ବନ୍ଧା ପଡ଼ିଥିଲା...

ଇଟାଲୀରେ ୩୩ ଭାରତୀୟ କୃଷି ଶ୍ରମିକ ଉଦ୍ଧାର; କ୍ରୀତଦାସ ଭାବେ କାମ କରୁଥିଲେ, ବନ୍ଧା ପଡ଼ିଥିଲା ସବୁକିଛି

ନୂଆଦିଲ୍ଲୀ: ଇଟାଲୀରେ କ୍ରୀତଦାସ ଭାବେ କାମ କରୁଥିବା ପ୍ରାୟ ୩୩ ଭାରତୀୟ କୃଷି ଶ୍ରମିକଙ୍କୁ ଆଜି ଇଟାଲୀ ପୁଲିସ୍ ଉଦ୍ଧାର କରିଛି । ବର୍ତ୍ତମାନ ସମୟ ଠାରୁ ଏପ୍ରକାର ପୀଡ଼ିତ ବିଦେଶୀ ନାଗରିକଙ୍କୁ ସୁରକ୍ଷା ଏବଂ ଆଇନଗତ ବାସୋପଯୋଗୀ ପ୍ରମାଣପତ୍ର ସାଙ୍ଗକୁ ନିଯୁକ୍ତି ମଧ୍ୟ ଦିଆଯିବ ବୋଲି ଇଟାଲୀ ପୁଲିସ୍ କହିଛି । ଶନିବାର ଏସମ୍ପର୍କରେ ଇଟାଲୀ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଉତ୍ତର ଭେରୋନା ପ୍ରାନ୍ତରୁ କ୍ରୀତଦାସ ଭାବେ କାମ କରୁଥିବା ୩୩ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଏଥିସହ ଏମାନଙ୍କୁ କ୍ରୀତଦାସ ଭାବେ ବନ୍ଧକ ରଖିଥିବା ୨ ମାଲିକଙ୍କ ଠାରୁ ପ୍ରାୟ ଅଧ ମିଲିଅନ୍ ୟୁରୋ ପରିମାଣ (୫୪୫,୩୦୦ ଡଲାର) ଅର୍ଥକୁ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଇଟାଲୀ ପୁଲିସ୍ ନିଜ ଦେଶର ଆଇନ୍ ଅନ୍ତର୍ଗତ ଏକାଧିକ ଧାରା ଅନ୍ତର୍ଗତ ମାମଲା ରୁଜୁ କରିଥିବା କହିଛି ।
ଇଟାଲୀ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଏହି ୩୩ ଭାରତୀୟ ନାଗରିକ, ନିଜ ଦେଶର କିଛି ଠକ ମାନବ ଚାଲାଣକାରୀଙ୍କ ଠକାମୀର ଶିକାର ହୋଇଛନ୍ତି । ଇଟାଲୀକୁ ନିୟମିତ ଭାବେ ଯା’ଆସ କରୁଥିବା କିଛି ଖଳପ୍ରକୃତିର ଭାରତୀୟ ହିଁ ଏମାନଙ୍କୁ ମିଛସତ କହି ଇଟାଲୀ ନେଇଆସିଛନ୍ତି ଏବଂ ଏଠାରେ ବଡ଼ ବଡ଼ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କୁ ଶାଗମାଛ ଦରରେ ବିକ୍ରି କରିଦେଇଛନ୍ତି । ତେବେ ଉଦ୍ଧାର ହୋଇଥିବା ଏହି ୩୩ ଭାରତୀୟ କୃଷି ଶ୍ରମିକଙ୍କୁ ୧୭ ହଜାର ଲେଖାଏ ୟୁରୋ ଏବଂ ଏକ ଭଲ ଭବିଷ୍ୟତର ସ୍ୱପ୍ନ ଦେଖାଇ ଏଠାକୁ ଅଣାଯାଇଥିବା ତଦନ୍ତ ବେଳେ ଜଣାପଡ଼ିଛି । କିନ୍ତୁ ଏଠାରେ ସେମାନଙ୍କୁ ସପ୍ତାହକ ୭ ଦିନ ଏବଂ ଦୈନିକ ୧୦ରୁ ୧୨ ଘଣ୍ଟାର କାମ ଦିଆଯାଉଥିଲା । ଏମାନଙ୍କୁ ମୁଖ୍ୟତଃ ଜମିରେ କାମ ଦିଆଯାଇଥିଲା । ବଦଳରେ ଘଣ୍ଟା ପ୍ରତି ମାତ୍ର ୪ ୟୁରୋ ହିଁ ଦିଆଯାଉଥିବା ତଦନ୍ତ କାଳରେ ଜଣାପଡିଛି ବୋଲି ଇଟାଲୀ ପୁଲିସ୍ ସୂଚନା ଦେଇଛନ୍ତି । ତେବେ ସେତକ ପଇସା ମଧ୍ୟ ସେମାନଙ୍କୁ ଦିଆଯାଉନଥିଲା, କାରଣ ସେମାନଙ୍କୁ ଭାରତରୁ ଇଟାଲୀ ନେବା ପାଇଁ ହୋଇଥିବା ଖର୍ଚ୍ଚ ପରିମାଣର ପରିଶୋଧ ବାବଦକୁ ପାରିଶ୍ରମିକ କାଟି ନିଆଯାଉଥିବା ଦର୍ଶାଯାଇଥିଲା । ଏପରିକି କିଛି ପ୍ରବାସୀ ଶ୍ରମିକଙ୍କୁ ଏଠାରେ ସ୍ଥାୟୀଭାବେ କାମ କରିବା ପାଇଁ ୱାର୍କ ପରମିଟ୍ କରାଇଦେବା ପାଇଁ ୧୩,୦୦୦ ୟୁରୋ ଖର୍ଚ୍ଚ ହୋଇଥିବାରୁ ଏଠାରେ ମାଗଣାରେ କାମ କରିବାକୁ ମଧ୍ୟ ବାଧ୍ୟ କରାଯାଉଥିଲା । କିନ୍ତୁ ବାସ୍ତବରେ ଶ୍ରମିକଙ୍କୁ ଏହି ୱାର୍କ ପରମିଟ୍ କଦାପି ଦିଆଯାଇନଥିଲା । ଏସବୁ ପ୍ରବାସୀଙ୍କ ପାଇଁ କ୍ରୀତଦାସ ସଦୃଶ ଆଚରଣ ହିଁ ଥିଲା । ତେବେ ଏବେ ପ୍ରଶ୍ନ ହେଉଛି ଯେ ଇଟାଲୀରେ କ’ଣ କେବଳ ଏତିକି ଭାରତୀୟ କ୍ରୀତଦାସ ଭାବେ କାମ କରୁଥିଲେ, ନା ଆହୁରି ଏପରି ଅନେକ ଅଛନ୍ତି, ଯଦି ଅଛନ୍ତି ସେମାନେ କେବେ ମୁକୁଳିବେ? ଭାରତ ଭଳି ଅନ୍ୟ ଦେଶର ନାଗରିକଙ୍କୁ ବି କ’ଣ ଇଟାଲୀରେ ଏପ୍ରକାର ଶାରୀରିକ, ମାନସିକ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ୁଛି କି?
ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ ଇଟାଲୀର ଏକ ଫଳ ଫାର୍ମରେ ଫଳ ତୋଳାଳୀ ଭାବେ କାମ କରୁଥିବା ଜଣେ ଭାରତୀୟ ନାଗରିକଙ୍କ ଏକ ହାତ ଫଳ କାଟିବା ମେସିନ୍‌ରେ କଟିଯାଇଥିଲା ଓ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥିଲା । ଏହି ଘଟଣା ପରେ କାମ ଅନ୍ୱେଷଣରେ ଆସୁଥିବା ବିଦେଶୀ ନାଗରିକଙ୍କୁ ଇଟାଲୀୟମାନେ ନିଜ ପାଖରେ କ୍ରୀତଦାସ ଭାବେ ବନ୍ଧକ ରଖି ସେମାନଙ୍କୁ ନିଜ ଘର, ଜମି ତଥା ଲାଟିନ୍ ଟାଙ୍କି ସଫା କରାଇବା ଭଳି କାମ କରାଇବାର ଏକ ବଡ଼ ଘଟଣା ଗତ ଜୁନ୍ ମାସରେ ସାମ୍ନାକୁ ଆସିଥିଲା । ସୂଚନାଯୋଗ୍ୟ, ଅନ୍ୟ ୟୁରୋପୀୟ ରାଷ୍ଟ୍ରଙ୍କ ଭଳି ଇଟାଲୀରେ ମଧ୍ୟ ଶ୍ରମିକଙ୍କ ଅଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ସୁତରାଂ ବିଦେଶରୁ ଗରିବ ଶ୍ରେଣୀର ଲୋକଙ୍କୁ ସେଠାକୁ ନେଇ କାମ କରାଇବା ପାଇଁ ଅଧିକାଂଶ ଇଟାଲୀୟ କମ୍ପାନୀ ବାଧ୍ୟ ହେଉଛନ୍ତି । କିନ୍ତୁ ପରିତାପର ବିଷୟ ବିଦେଶରୁ କାମ ଅନ୍ୱେଷଣରେ ଆସୁଥିବା ବିଦେଶୀ ନାଗରିକଙ୍କୁ ଏମାନେ ଆଇନ୍‌ସିଦ୍ଧ ପ୍ରଣାଳୀରେ ନଆଣି ବେଆଇନ୍ ଓ ମିଥ୍ୟା ତଥା ଜାଲ୍ କାଗଜପତ୍ର ଜରିଆରେ ଆଣୁଛନ୍ତି; ଯାହାକି ଇଟାଲୀରେ ଆଇନଗତ ଅପରାଧ ଭାବେ ବିବେଚନା କରାଯାଏ । ଏତଦ୍‌ବ୍ୟତୀତ ଅନେକ ସମୟରେ ଇଟାଲୀରେ ଶ୍ରମ୍‌ଆଇନ୍‌ରେ ମଧ୍ୟ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଥାଏ; ଯାହାକି ସମୟକ୍ରମେ ବଢ଼ି ବଢ଼ି ଚାଲିଛି । ଏସବୁ ସ୍ଥାନୀୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking