ଭୁବନେଶ୍ୱର: ବର୍ଷା ଦିନ ସମୟରେ ଏବଂ ପରେ ବିଶେଷ ଭାବରେ ଡେଙ୍ଗୁ ଓ ଜଳବାହିତ ରୋଗ ଦେଖିବାକୁ ମିଳିଥାଏ । ଯାହା ଆଗାମୀ ଦିନରେ ଅଧିକ ଭୟଙ୍କର ରୂପ ନେଇପାରେ । ରାଜ୍ୟରେ ଏବେ ଡେଙ୍ଗୁ, ମ୍ୟାଲେରିଆ, ହଇଜା ଭଳି ମାମଲା ବୃଦ୍ଧି ହେବାର ସମ୍ଭାବନା ରହିଛି । ତେଣୁ ସମସ୍ତେ ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପରାମର୍ଶ ଦେଇଛନ୍ତି । ଫିଲ୍ଡ ଷ୍ଟାଫ୍ଙ୍କ ଜରିଆରେ ଡେଙ୍ଗୁ ସହ ଅନ୍ୟ ରୋଗର ପ୍ରତିକାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଗୃହ ଓ ନଗର ଉତ୍ତୟନ, ଶିଳ୍ପ, କୃଷି, ପାନୀୟ ଜଳ ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମଧ୍ୟ ପିଲାଙ୍କ ସୁରକ୍ଷା ପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ୧୦ ବିଭାଗକୁ ଚିଠି ଲେଖି ସମସ୍ତ ବିଭାଗ ଏହି ସମୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି । ବିଶେଷ କରି ଡେଙ୍ଗୁ ଏବଂ ଅନ୍ୟାନ୍ୟ ଜଳବାହିତ ରୋଗଗୁଡ଼ିକ ମୃତ୍ୟୁ ହାରକୁ ହ୍ରାସ କରିବା ପାଇଁ ଠିକ ସମୟରେ ନିୟନ୍ତ୍ରଣ ଏବଂ ପ୍ରତିରୋଧ ପଦକ୍ଷେପ ନେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ସେହିଭଳି କେଉଁ ବିଭାଗ କିପରି କାର୍ଯ୍ୟ କରିବ ସେ ନେଇ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି ।
ସ୍କୁଲଗୁଡ଼ିକରେ ପ୍ରଧାନଶିକ୍ଷକ, ଶିକ୍ଷକମାନେ ପିଲାମାନଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନତା କରିବା ପାଇଁ କୁହାଯାଇଛି । ସ୍କୁଲ ଚାରିପାଖକୁ ସଫା ସୁତାର ରଖିବା, ସ୍କୁଲର ପାଣି ଟାଙ୍କି ଆଦି ମଧ୍ୟ ସଫା ରଖିବା ଆବଶ୍ୟକ । ସ୍କୁଲ ଏବଂ କଲେଜଗୁଡ଼ିକରେ ବିଭିନ୍ନ ସମୟରେ ସଚେତନତା ଡ୍ରାଇଭ କରିବା ଆବଶ୍ୟକ । ମଶା ପ୍ରଜନନ ଉତ୍ସ-ପ୍ଲାଷ୍ଟିକ ବ୍ୟାଗ, ପାତ୍ର, ନଡ଼ିଆ ଖୋଳକୁ ସ୍କୁଲ ହତା ମଧ୍ୟରୁ ହଟାଇବା ପାଇଁ ବ୍ୟବସ୍ଥା କରିବା । ଆବାସିକ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ମଶାରୀ ଯୋଗାଇବା ଆବଶ୍ୟକ । ସେହିଭଳି ଆଶା କର୍ମୀ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମ କରିବା ଆବଶ୍ୟକ । ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗରେ ମହିଳା ଏବଂ ଶିଶୁମାନେ, ବିଶେଷ କରି ଗର୍ଭବତୀ ମହିଳାମାନେ ଶୋଇବା ସମୟରେ ମଶାରୀ ବ୍ୟବହାର କରିବା ଆବଶ୍ୟକ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ସହିତ ତଦାରଖ କରିବା ପାଇଁ କୁହାଯାଇଛି ।
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ରାଜ୍ୟରେ ବର୍ଷା ଦିନ ପୂର୍ବରୁ ଡେଙ୍ଗୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେଠାରୁ ସତର୍କ ରହିବା ଆବଶ୍ୟକ । ଡେଙ୍ଗୁ ମ୍ୟାଲେରିଆ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଘର ଘର ବୁଲି ଟେଷ୍ଟ କରିବା ସହ ପାଣି ଥିବା ସ୍ଥାନକୁ ସଫା କରାଯାଉଛି । ଏହା ସହ ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ବିଏମସି ମଧ୍ୟ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିବା ସହ ବିଭନ୍ନ ପଦକ୍ଷେପ ଗ୍ରହଣ କରୁଛି । ବିଶେଷ କରି ସ୍କୁଲ ଏବଂ ହଷ୍ଟେଲଗୁଡ଼ିକରେ ପିଲାଙ୍କୁ ଜର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ମଶାରୀ ମଧ୍ୟରେ ଶୋଇବା ସଚେତନତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଲାମାନେ ଯେଭଳି ରୋଗଗ୍ରସ୍ତ ନ ହେବେ ସେନେଇ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେପଟେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୪୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୩୬,୧୧୦ ରକ୍ତ ପରୀକ୍ଷା କରାଯାଇଛି । ଖୋର୍ଦ୍ଧାରେ ସବାଧିକ ୧୩୪ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରେ ୭୧, ସୁନ୍ଦରଗଡରେ ୪୩, ବାଲେଶ୍ୱରରେ ୨୯, କଟକରେ ୨୮ ଏବଂ ରାୟଗଡ଼ାରେ ୨୨ ଜଣ ଚିହ୍ନଟ ହୋଇଛନ୍ତି ।