ଭୁବନେଶ୍ୱର: ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ଅଧିକାରୀଙ୍କୁ ପୁଣି ଥରେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ନୂଆ ସରକାରଙ୍କ ଉପରେ ଜନସାଧାରଣଙ୍କ ବହୁତ୍ ଆଶା ଆକାଂକ୍ଷା ରହିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବଜେଟ୍ରେ ପ୍ରତିଫଳିତ ହେବା ଆବଶ୍ୟକ । ତାହା ଯେପରି ତୃଣମୂଳ ସ୍ତରରେ ସଠିକ୍ ଭାବରେ ପହଞ୍ଚିବ ଏବଂ ଲୋକେ ଯେପରି ଏହାର ସୁଫଳ ପାଇବେ ତା’ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ତଦନୁଯାୟୀ ବଜେଟ୍ ପ୍ରସ୍ତୁତି ହେଉ ।
ଗୁରୁବାର ଲୋକସେବା ଭବନରେ ପ୍ରାକ୍ ବଜେଟ୍ ଓ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । କାରଣ ସପ୍ତଦଶ ବିଧାନସଭାରେ ତାଙ୍କ ସରକାର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବ । ଏହି ବଜେଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ଯୋଜନା ଓ ସଂଯୋଜନ ବିଭାଗର ଅଧିକାରୀଙ୍କୁ ଏକ ଲୋକାଭିମୁଖୀ ବଜେଟ୍ ଉପସ୍ଥାପନା କରିବାକୁ ପରାମର୍ଶ ଦେଇଥିଲେ । ଏବେ ଅର୍ଥ ବିଭାଗର ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ତେବେ ବଜେଟ୍ ଅର୍ଥ ଯେମିତି ଲୋକଙ୍କ ହିତରେ ଲାଗିବ ତା’ଉପରେ ଫୋକସ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।
ଉଲ୍ଲେଖନୀୟ ଯେ ୨୦୨୪-୨୫ ବାର୍ଷିକ ବଜେଟ୍ ପ୍ରସ୍ତୁତି ପାଇଁ ରାଜ୍ୟର ସମସ୍ତ ପ୍ରଶାସନିକ ବିଭାଗକୁ ୨୦୨୪ ଜୁନ୍ ୩୦ ତାରିଖ ସୁଦ୍ଧା ଆଭ୍ୟନ୍ତରୀଣ ପରାମର୍ଶ ଶେଷ କରି ଅତିରିକ୍ତ ଆବଶ୍ୟକତା, ପରିବର୍ତ୍ତନ ଅନୁରୋଧ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଥିଲା । ଏହି ଆର୍ôଥକ ବର୍ଷ ବଜେଟ୍ ପାଇଁ ପ୍ରଶାସନିକ ବିଭାଗଗୁଡ଼ିକ ଗୁରୁତ୍ୱର ସହ ନେଇ ସେମାନଙ୍କ ବଜେଟ୍ ପ୍ରସ୍ତାବଗୁଡ଼ିକୁ ପୁନଃପ୍ରାଥମିକତା ଦେବାକୁ ପଡ଼ିଥିଲା । ତେବେ ପ୍ରସ୍ତାବ ଆସିବା ପରେ ଯୋଜନା ଓ ସମନ୍ୱୟ ବିଭାଗ ଏବଂ ଅର୍ଥ ବିଭାଗ ଦ୍ୱାରା ଏସବୁ ଅନୁମୋଦନ କରାଯାଇଛି ।