21.1 C
Bhubaneswar
Friday, December 27, 2024
Homeଖେଳଶ୍ରୀଲଙ୍କା ଗସ୍ତରେ ରୋହିତ-କୋହଲି, ବୁମ୍‌ରାଙ୍କୁ ମିଳିପାରେ ବିଶ୍ରାମ

ଶ୍ରୀଲଙ୍କା ଗସ୍ତରେ ରୋହିତ-କୋହଲି, ବୁମ୍‌ରାଙ୍କୁ ମିଳିପାରେ ବିଶ୍ରାମ

ମୁମ୍ବାଇ: ଗତ ସପ୍ତାହରେ ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ ଟିମ୍‌ର ସିନିୟର୍ ଖେଳାଳି କ୍ୟାପ୍‌ଟେନ୍ ରୋହିତ ଶର୍ମା, ବିରାଟ କୋହଲି ଓ ଜସ୍‌ପ୍ରୀତ୍ ବୁମ୍‌ରାଙ୍କୁ ବିସିସିଆଇ ଶ୍ରୀଲଙ୍କା ଗସ୍ତରେ ବିଶ୍ରାମ ଦେଇପାରେ । ଜୁଲାଇ ୨୭ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ଗସ୍ତରେ ଜିମ୍ବାୱେ ଗସ୍ତ ପରି ଯୁବ ଟିମ୍ ଯାଇପାରନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା କେଏଲ୍ ରାହୁଲଙ୍କୁ ଦିନିକିଆ ଟିମ୍‌ର ନେତୃତ୍ୱ ଦିଆଯାଇପାରେ । ପିଟିଆଇର ଏକ ରିପୋର୍ଟ ଅନୁସାରେ ବିଶ୍ୱ ଚାମ୍ପିଅନ୍ ଟିମ୍‌ର ସିନିୟର୍ ଖେଳାଳିଙ୍କୁ ବିଶ୍ରାମ ଦେବା ନେଇ ଚୟନକର୍ତ୍ତା ବିଚାର କରୁଛନ୍ତି । ଯଦି ଏପରି ହୁଏ ତେବେ ତିନି ଭାରତୀୟ ଖେଳାଳିଙ୍କୁ ୮୦ ଦିନର ବିଶ୍ରାମ ମିଳିବ । କାରଣ ଶ୍ରୀଲଙ୍କା ଗସ୍ତ ପରେ ଟିମ୍ ଇଣ୍ଡିଆ ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷରେ ଖେଳିବ । ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ତିନିଟି ଦିନିକିଆ ଏବଂ ତିନି ଟି-୨୦ ମ୍ୟାଚ୍ ଖେଳିବ । ସେପ୍ଟେମ୍ବର ୧୯ରୁ ବାଂଲାଦେଶ ଗସ୍ତ ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିବ । ବାଂଲାଦେଶ ପରେ ଟିମ୍‌କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ଟେଷ୍ଟ୍‌, ଅଷ୍ଟ୍ରେଲିଆ ୫ ଟେଷ୍ଟ୍ ଏବଂ ଇଂଲଣ୍ଡ ବିପକ୍ଷରେ ୫ ଟି-୨୦ ଏବଂ ୩ ଦିନିକିଆ ମ୍ୟାଚ୍ ଖେଳିବାର ଅଛି । କେବଳ ଏତିକି ନୁହେଁ, ଭାରତୀୟ ଟିମ୍ ଫେବୃଆରୀ-ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଭାଗନେବ । ଏହାକୁ ଦୃଷ୍ଟିରେ ରଖି ୱାର୍କ ଲୋଡ୍ ମ୍ୟାନେଜମେଣ୍ଟ୍ ଅନୁସାରେ ଚୟନକର୍ତ୍ତା ରୋହିତ, କୋହଲି ଏବଂ ବୁମ୍‌ରାଙ୍କୁ ବିଶ୍ରାମ ଦେଇପାରନ୍ତି ।
ରୋହିତଙ୍କ ସନ୍ନ୍ୟାସ ପରେ ଭାରତ ଟି-୨୦ ଫର୍ମାଟ୍‌ରେ ନୂଆ କ୍ୟାପ୍‌ଟେନ୍ ନିଯୁକ୍ତ କରିବା ବାକି ଅଛି । ଅବଶ୍ୟ ହାର୍ଦ୍ଦିକ ଏହି ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି । ତାଙ୍କୁ ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଟିମ୍‌ର କ୍ୟାପ୍‌ଟେନ୍ ମଧ୍ୟ ନିଯୁକ୍ତ କରାଯାଇପାରେ । ଅନ୍ୟପକ୍ଷରେ ଗସ୍ତରେ ୱିକେଟ୍‌କିପର୍ ବ୍ୟାଟର୍ କେଏଲ୍ ରାହୁଲ ମଧ୍ୟ ଦିନିକିଆ ଟିମ୍‌କୁ ଲିଡ୍ କରିପାରନ୍ତି । ଭାରତୀୟ ଟିମ୍ ବର୍ତ୍ତମାନ ଜିମ୍ବାୱେ ବିପକ୍ଷରେ ପାଞ୍ଚ ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳୁଛି । ଚୟନକର୍ତ୍ତା ଏହି ସିରିଜ୍ ପାଇଁ ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ଏକ ଯୁବ ଟିମ୍ ଜିମ୍ବାୱେ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking