26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶବ୍ରିଟେନରୁ ବିଦା ହେବେ ଶରଣାର୍ଥୀ !

ବ୍ରିଟେନରୁ ବିଦା ହେବେ ଶରଣାର୍ଥୀ !

ବ୍ୟୁରୋ: ବ୍ରିଟେନରେ ଆଉ ରହିପାରିବେନି ଅନୁପ୍ରବେଶ କରି ରହୁଥିବା ଶରଣାର୍ଥୀ । ବ୍ରିଟିଶ ସଂସଦରେ ବିବାଦୀୟ ‘ରାୱାଣ୍ଡା ଶରଣାର୍ଥୀ ବିଲ’ ପାରିତ ହୋଇଛି । ଏହି ବିବାଦୀୟ ଆଇନ କାର୍ଯ୍ୟକାରୀ ହେବା ପରେ ବ୍ରିଟେନରେ ବିନା ବୈଧ ପ୍ରମାଣପତ୍ର ନଥିବା ଥିବା ବିଭିନ୍ନ ବିଦେଶୀ ଶରଣାର୍ଥୀଙ୍କୁ ଚିହ୍ନଟ କରି ପୂର୍ବ-ଆଫ୍ରିକୀୟ ଦେଶ ରାୱାଣ୍ଡାରେ ଛାଡି ଦିଆଯିବ । ଏନେଇ ବ୍ରିଟେନ ଓ ରାୱାଣ୍ଡା ସରକାର ମଧ୍ୟରେ ଏହି ଶରଣାର୍ଥୀ ପ୍ରତ୍ୟର୍ପଣ ପାଇଁ ଚୁକ୍ତି ମଧ୍ୟ ହୋଇସାରିଛି । ହେଲେ ୨୦୨୨ ରେ ଆଗତ ହୋଇଥିବା ଏହି ବିଲ ଦୀର୍ଘ ୨ବର୍ଷ ଧରି ଝୁଲି ରହିଥିଲା । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହାକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହା କେବଳ ସୁନକ କ୍ୟାବିନେଟ ନୁହେଁ ବରଂ ବ୍ରିଟେନରେ ବର୍ତ୍ତମାନ କ୍ଷମତାରେ ଥିବା ରକ୍ଷଣଶୀଳ ଦଳ (କଞ୍ଜରଭେଟିବ ପାର୍ଟି)ର ଆଭିମୁଖ୍ୟ ମଧ୍ୟ ।

୨୦୨୨ ରେ ବ୍ରିଟେନର ଏହି ଶରଣାର୍ଥୀ ସମସ୍ୟାକୁ ନେଇ ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ସେତେବେଳେ ବ୍ରିଟେନର ବିଭିନ୍ନ ସ୍ଥାନରେ ଏହି ଶରଣାର୍ଥୀଙ୍କ ସଂଖ୍ୟା ୪୫,୭୪୪ ଥିବା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ବିଶେଷଜ୍ଞ ଟିମ ଦ୍ୱାରା କରାଯାଇଥିବା ଅନୁଧ୍ୟାନରେ ଆସିଥିଲା । ଏମାନଙ୍କ ମଧ୍ୟରୁ ସର୍ବାଧିକ ଶରଣାର୍ଥୀ କେବଳ ଫ୍ରାନ୍ସ ଓ ତଟୀୟ-ଉରୋପୀୟ ଦେଶରୁ ଇଂଲିସ ଚ୍ୟାନେଲ ଦେଇ ସମୁଦ୍ର ପାର କରି ବ୍ରିଟେନ ସୀମାରେ ଅନୁପ୍ରବେଶ କରିଥିବା ଜଣାପଡିଥିଲା । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୭୪,୫୦୦୦ ରେ ପହଞ୍ଚିଥିବା ବିଭିନ୍ନ ସୂତ୍ରରୁ ସୂଚନା ମିଳିଥିଲା । ହେଲେ ଏହି ବିଚାର ଆରମ୍ଭ ହେବା ପରଠାରୁ ଏହାକୁ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ବୋଲି କୁହାଯାଉଛି ।

ସେହିପରି ଜାତିଂସଘ ଶରଣାର୍ଥୀ ଶାଖା ମଧ୍ୟ ବ୍ରିଟେନର ଏହି ନୀତି ବିରୋଧରେ ରହିଛି । ବିଶ୍ୱର ବିଭିନ୍ନ ମାନବାଧିକାର ସଂଗଠନ ଓ ବ୍ରିଟେନର ଏକାଧିକ ସଂଗଠନ ସମେତ ସାଧାରଣ ଜନତା ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ମାତ୍ର ବ୍ରିଟେନର କିଛି ଗୋଷ୍ଠୀ ଏହାକୁ ଦୃଢ ସମର୍ଥନ ମଧ୍ୟ କରୁଛନ୍ତି । କିନ୍ତୁ ଶରଣାର୍ଥୀଙ୍କୁ ସେମାନଙ୍କ ନିଜ ଦେଶକୁ ଫେରାଇବା ପରିବର୍ତ୍ତେ କୌଣସି ଏକ ତୃତୀୟ ଦେଶକୁ ଚୁକ୍ତି ମାଧ୍ୟମରେ ପ୍ରତ୍ୟର୍ପଣ କରିବାକୁ ମାନବାଧିକାରର ଖୋଲା ଉଲ୍ଲଂଘନ ବୋଲି ବିଚାର କରାଯାଉଛି । ତେବେ ବର୍ତ୍ତମାନ ଏହାକୁ ପାରିତ କରିବା ସହିତ ବ୍ରିଟେନର ନିର୍ବାଚନକୁ ଯୋଡି ମଧ୍ୟ ଦେଖାଯାଉଛି । କାରଣ ଜାନୁଆରୀ ୨୦୨୫ ବ୍ରିଟେନର ସଂସଦୀୟ ନିର୍ବାଚନ ରହିଛି । ଏବେ କ୍ଷମତାରେ ଥିବା କଞ୍ଜରବେଟିବ ପାର୍ଟି ଏହାକୁ ଗତ ନିର୍ବାଚନର ଇସ୍ତାହାରରେ ମଧ୍ୟ ସ୍ଥାନ ଦେଇଥିଲା । ବ୍ରିଟେନର କିଛି ଲୋକେ ଶରଣାର୍ଥୀ ହଟାଇବା ପାଇଁ ମଧ୍ୟ ଚାପ ପକାଉଛନ୍ତି । ତେଣୁ ଆସନ୍ତା ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଚାହୁଛନ୍ତି । ଏବେ ବ୍ରିଟେନରେ ଏହି ବିଲ ପାସ ହୋଇଥିଲେ ସୁଦ୍ଧା ଏହାର କାର୍ଯ୍ୟକାରିତା ଏତେ ସହଜ ହେବ ନାହିଁ ବୋଲି ବିଚାର କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking