14.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଫାର୍ମା କମ୍ପାନୀ ମାଲିକଙ୍କୁ ଧମକ ଦେଇଥିଲେ କେ. କବିତା

ଫାର୍ମା କମ୍ପାନୀ ମାଲିକଙ୍କୁ ଧମକ ଦେଇଥିଲେ କେ. କବିତା

ନୂଆଦିଲ୍ଲୀ: କେ. କବିତା, ଅରବିନ୍ଦ ଫାର୍ମା କମ୍ପାନୀ ମୁଖ୍ୟ ଶରତ ଚନ୍ଦ୍ର ରେଡ୍ଡୀଙ୍କୁ ୨୫ କୋଟି ଟଙ୍କା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)କୁ ନିର୍ବାଚନୀ ଚାନ୍ଦା ଆକାରରେ ଦେବା ପାଇଁ ଚାପ ପକାଇଥିଲେ । କେବଳ ସେତିକି ନୁହେଁ ସମାନ ପରିମାଣର ଅର୍ଥ ଅର୍ଥାତ୍ ୨୫ କୋଟି ଟଙ୍କା ତାଙ୍କର (କବିତା) ସହଯୋଗୀ ଅରୁଣ ଆର ପିଲାଇ ଏବଂ ଅଭିଷେକ ବୋଇନ୍‌ପାଲିଙ୍କୁ ମଧ୍ୟ ଦେବା ପାଇଁ କବିତା, ଶରତ ରେଡ୍ଡୀଙ୍କୁ କହିଥିଲେ । ଏପରିକି ଯଦି ଏହି ପରିମାଣ ଅର୍ଥ ଆପ୍‌କୁ ଏବଂ ତାଙ୍କୁ ସେ (ଶରତ ଚନ୍ଦ୍ର ରେଡ୍ଡୀ) ନ ଦିଅନ୍ତି ତେବେ ଦିଲ୍ଲୀ ଏବଂ ତେଲେଙ୍ଗାନା ଭଳି ୨ ରାଜ୍ୟରେ ତାଙ୍କ ଫାର୍ମା କମ୍ପାନୀକୁ ବହୁ କ୍ଷତି ସହିବାକୁ ପଡ଼ିବ ବୋଲି ମଧ୍ୟ କବିତା, ଫାର୍ମା କମ୍ପାନୀ ମାଲିକ ଶ୍ରୀ ରେଡ୍ଡୀଙ୍କୁ ଧମକ ମଧ୍ୟ ଦେଇଥିଲେ । ସିବିଆଇ ପକ୍ଷରୁ ଆଜି କୋର୍ଟରେ ଏପ୍ରକାର କିଛି ସୂଚନା ଦିଆଯାଇଛି ।

ପ୍ରକାଶ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିବା ବିଆରଏସ୍ ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତା ଏବେ ସିବିଆଇ ରିମାଣ୍ଡ୍‌ରେ ରହିଛନ୍ତି । ଆସନ୍ତା ୧୫ତାରିଖ ଯାଏ ସେ ସିବିଆଇ ରିମାଣ୍ଡ୍‌ରେ ରହିବେ । ସୁତରାଂ କେ. କବିତାଙ୍କୁ ଜେରା କରିବା ପାଇଁ ଅନୁମତି ପାଇବା ପୂର୍ବକ ସିବିଆଇ ପକ୍ଷରୁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରାଯାଇଥିଲା । ଶନିବାର ସିବିଆଇର ଏହି ଆବେଦନ ଉପରେ ଶୁଣାଣି କରାଯାଇଥିଲା । ଏହି ସମୟରେ ସିବିଆଇ, କେ କବିତାଙ୍କ ସମ୍ପର୍କରେ ଉପରୋକ୍ତ ତଥ୍ୟଭିତ୍ତିକ ସୂଚନା, ବିଚାରପତି ଜଷ୍ଟିସ୍ କାବେରୀ ବାୱେଜାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲା ।

ସିବିଆଇ ନିଜ ଯୁକ୍ତିରେ ଦର୍ଶାଇଛି ଯେ, ଆପ୍ ସରକାରଙ୍କ ଅବକାରୀ ନୀତି ଅନ୍ତର୍ଗତ ଦିଲ୍ଲୀର ୫ଟି ରିଟେଲ୍ ଜୋନ୍ ପାଇଁ ମଦ’ ବିକ୍ରି କରିବାକୁ ଅନୁମତି ଦେବାର ଲୋଭ ଦେଖାଇ କେ. କବିତା, ଶରତ ଚନ୍ଦ୍ର ରେଡ୍ଡୀଙ୍କୁ ଏହି ୨୫ କୋଟି ଟଙ୍କା ଆପ୍‌କୁ ଦେବାକୁ କହିଥିଲେ । ସେହିପରି ତେଲେଙ୍ଗାନାରେ ମଧ୍ୟ ମଦ ବ୍ୟବସାୟ କରିବା ପାଇଁ ତାଙ୍କୁ (କବିତା) ମଧ୍ୟ ଏହି ପରିମାଣର ଅର୍ଥ ଦେବାକୁ କବିତା, ଶ୍ରୀ ରେଡ୍ଡୀଙ୍କ ଉପରେ ଚାପ ପକାଇଥିଲେ । ତେବେ ଏହି ଅର୍ଥ ନଦେଲେ ତାଙ୍କ କମ୍ପାନୀକୁ ଉଭୟ ଦିଲ୍ଲୀ ଏବଂ ତେଲେଙ୍ଗାନାରେ ବ୍ୟାପକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ତାଙ୍କୁ ବ୍ୟବସାୟ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କେ. କବିତା, ଶ୍ରୀ ରେଡ୍ଡୀଙ୍କୁ ଚେତାବନୀ ଦେଇଥିଲେ । ଏତଦ୍‌ବ୍ୟତୀତ ତେଲେଙ୍ଗାନାର ମେହବୁବ୍ ନଗରରେ ଥିବା ଏକ ଚାଷ ଜମି ବଦଳରେ ୧୪ କୋଟି ଟଙ୍କା ଦେବାକୁ ମଧ୍ୟ ଶ୍ରୀ ରେଡ୍ଡୀଙ୍କୁ ବାଧ୍ୟ କରିଥିଲେ କବିତା ।

ଏକ ମିଥ୍ୟା ସେଲ୍ ଡିଡ୍ ମାଧ୍ୟମରେ ୧୪ କୋଟି ଟଙ୍କା ମୂଲ୍ୟ ଉକ୍ତ ଚାଷ ଜମି କିଣୁଥିବା ନେଇ ଦର୍ଶାଇବା ପାଇଁ ଶ୍ରୀ ରେଡ୍ଡୀଙ୍କୁ କେ କବିତା ବାଧ୍ୟ କରିଥିଲେ । ଉପାୟଶୂନ୍ୟ ହୋଇ ଶ୍ରୀ ରେଡ୍ଡୀ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ ଜୁଲାଇ ୨୦୨୧ରେ ୭ କୋଟି ଟଙ୍କା ଏବଂ ନଭେମ୍ବର ୨୦୨୧ରେ ଅନ୍ୟ ଏକ ୭ କୋଟି ଟଙ୍କା କେ କବିତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରିଥିବାର ମଧ୍ୟ ପ୍ରମାଣ ମିଳିଛି । ଏତଦ୍‌ବ୍ୟତୀତ କେ କବିତା ଚଲାଇଥିବା ତେଲେଙ୍ଗାନା ଜାଗୃତି’ ନାମକ ଏକ ଏନ୍‌ଜିଓର ସିଏସ୍‌ଆର ପାଣ୍ଠିକୁ ମଧ୍ୟ ଅରବିନ୍ଦ ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ଅନ୍ୟତମ ଚାଇଲ୍ଡ କମ୍ପାନୀ ଅରବିନ୍ଦ ରିଅଲ ଇଷ୍ଟେଟ୍ ଆଣ୍ଡ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୨୦୨୧ ମାର୍ଚ୍ଚ ମାସରେ ୮୦ ଲକ୍ଷ ଟଙ୍କା ଦିଆଯାଇଥିବାର ପ୍ରମାଣ ମିଳିଛି । ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ପ୍ରାଥମିକ ତଦନ୍ତ ସମୟରୁ ଗିରଫ ହୋଇଥିବା ଅରବିନ୍ଦ ଫାର୍ମା କମ୍ପାନୀ ମାଲିକ ଶରତ ଚନ୍ଦ୍ର ରେଡ୍ଡୀ, ଏବେ ଏହି ଘଟଣାରେ ଇଡିର ଅନ୍ୟତମ ସାକ୍ଷୀ ପାଲଟିଯାଇଛନ୍ତି । ତେବେ ସିବିଆଇ ଏପର୍ଯ୍ୟନ୍ତ ଏହି ମାମଲାରେ ଶ୍ରୀ ରେଡ୍ଡୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking