22.1 C
Bhubaneswar
Wednesday, January 22, 2025
Homeଓଡିଶାନଗଡ଼ା ଜଙ୍ଗଲରେ ବାଘ; କ୍ୟାମେରାରୁ ସ୍ପଷ୍ଟ କଲରାପତରିଆ ବିଚରଣ

ନଗଡ଼ା ଜଙ୍ଗଲରେ ବାଘ; କ୍ୟାମେରାରୁ ସ୍ପଷ୍ଟ କଲରାପତରିଆ ବିଚରଣ

ଯାଜପୁର: କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ପକ୍ଷରୁ ଦୈତାରୀ ସୁରକ୍ଷିତ ଜଙ୍ଗଲର ନଗଡ଼ା ପଡ଼ୋଶୀ ତୁମୁଣି କମ୍ଭାରୁଣି ଓ କଙ୍କଡ଼ାଗୋଡ଼ି ଗାଁ ପାଖ ବାରିଙ୍ଗ ଜଙ୍ଗଲରେ ଲଗାଯାଇଥିବା ୨ଟି ଟ୍ରାପ୍‌ କ୍ୟାମେରାରେ ୨ଟି କଲରାପତରିଆ ବାଘର ଫଟୋଚିତ୍ର ଉତ୍ତୋଳିତ ହୋଇଛି। ଏଥିସହ ଯାଜପୁର ଜିଲ୍ଲାରେ ୨ଟି ସ୍ଥାନରେ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି। ୨ଟି ଯାକ ଫଟୋକୁ ଆସନ୍ତାକାଲି ଭୁବନେଶ୍ବରସ୍ଥିତ ବନ ବିଭାଗ ମୁଖ୍ୟାଳୟକୁ ପଠାଯାଇ ଏହାର ବିଶ୍ଳେଷଣ କରାଯିବ ବୋଲି ବନପାଳ ନରେଶ କୁମାର ଟୁଡ଼ୁ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତୀୟ ରିପୋର୍ଟ ହସ୍ତଗତ ପରେ ବାଘର ସଂଖ୍ୟା, ଲିଙ୍ଗ, ବୟସ ଓ ବାସସ୍ଥଳୀ ସଂପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ସେ କହନ୍ତି। ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସ ୧୪ ତାରିଖରୁ ବନ ବିଭାଗ ପକ୍ଷରୁ ଦୈତାରୀ ସୁରକ୍ଷିତ ଜଙ୍ଗଲରେ ବାଘ ଗଣନା କାର୍ଯ୍ୟ ଜାରି ରହିଥିବା ବେଳେ ତୁମୁଣି ଗାଁର ଦକ୍ଷିଣରେ ଥିବା କମାରୁଣି(କୁମ୍ଭାରୁଣି) ପାହାଡ଼ର ପାଦଚଲା ଗୁଳା ବାଟ ଓ ଚଣାକୋଟ ଜଙ୍ଗଲରେ ଏକାଧିକ ମଧ୍ୟମ ବୟସ୍କ କଲରାପତରିଆ ବାଘର ପଞ୍ଝାଚିହ୍ନ ଠାବ ହୋଇଥିଲା।

ସେହିପରି ୨ ବର୍ଷ ତଳେ ବାଘ ଗଣନା ସମୟରେ ଏହି ଜଙ୍ଗଲର ଗୁହିଆଶାଳ-ତଳଡିହ ପାଦଚଲା ବାଟର ଏକାଧିକ ସ୍ଥାନରେ କଲରାପତରିଆ ମଳ ଓ ପାଦଚିହ୍ନ ଏବଂ ଦଲକ ନଳାଘାଟି ଓ ଚଣାକୋଟ ଜଙ୍ଗଲରେ ଏକାଧିକ ବାଘର ପଞ୍ଝାଚିହ୍ନ ଦେଖିବାକୁ ମିଳିଥିଲା। ଏହାକୁ ବିଭାଗୀୟ ବିଜ୍ଞାନାଗାରରେ ବିଶ୍ଳେଷଣ କରାଯିବାରେ ଏହା କଲରାପତରିଆ ମଳ ବୋଲି ପ୍ରମାଣିତ ହୋଇଥିଲା। ଏଠାରେ ଛୋଟବଡ଼ ୫ ରୁ ୬ଟି କଲରାପତରିଆ ଥିବା ନେଇ ସେତେବେଳେ ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ଏହି ଆଧାରରେ ଉପରୋକ୍ତ ୬ଟି ସ୍ଥାନରେ ୧୧ଟି ଟ୍ରାପ୍‌ କ୍ୟାମେରା ଲଗା ଯାଇଥିଲା। ଦୈତାରୀ ଜଙ୍ଗଲରେ ବାଘର ଉପସ୍ଥିତି ଓ ବଂଶବୃଦ୍ଧିକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଓ ପରିବେଶବିତ ଉତ୍ସାହିତ ହୋଇଥିବା ବିଭାଗୀୟ ସୂଚନା ମିଳିଛି। ସେହିପରି ଏହି କ୍ୟାମେରାରେ ଭାଲୁ, ଝିଙ୍କ, ବଜ୍ରକାପ୍ତା, ହରିଣ, କୁଟୁରା, ଠେକୁଆ, ଖୁରାଣ୍ଟି, ବାର୍‌ହା, ଶାଳିଆପତନି ଇତ୍ୟାଦି ବିରଳ ପ୍ରଜାତିର ବନ୍ୟପ୍ରାଣୀଙ୍କ ଫଟୋ ଉତ୍ତୋଳିତ ହୋଇଥିବା ନେଇ ରେଞ୍ଜର ବିପିନ ବିହାରୀ ରାଉତରାୟ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking