ପଶ୍ଚିମବଙ୍ଗ : ପୁଣି ଚର୍ଚ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିଜ ଭାଇ ସହ ସମ୍ପର୍କ ଭାଙ୍ଗି ଏବେ ଚର୍ଚ୍ଚାରେ ଦିଦି । ନିକଟରେ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏବେ ଚର୍ଚ୍ଚା ହେଉଛି କି ମମତା ବାନାର୍ଜୀଙ୍କ ଭାଇ ସ୍ୱପନ ବାନାର୍ଜୀ ଟିଏମସିରେ ଖୁସି ନୁହଁନ୍ତି ଏବଂ ସେ ବିଜେପିରେ ଯୋଗ ଦେଇପାରନ୍ତି । ସୂଚନା ଅନୁସାରେ ହାୱାଡା ଲୋକସଭା ଆସନରୁ ଟିଏମ୍ସି ପ୍ରସନ୍ନ ବାନାର୍ଜୀଙ୍କୁ ପ୍ରାର୍ଥୀ କରିବା ପରେ ଖୁସି ନାହାନ୍ତି ବୋଲି କହିଥିଲେ ସ୍ୱପନ ବାନାର୍ଜୀ ।
ମମତା ବାନାର୍ଜୀ ଏହାର ଜବାବ ଦେଇ କହିଛନ୍ତି ଯେ ସ୍ୱପନ ବାନାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ, ସେ ଯାହା ଚାହିଁବେ ତାହା କରିପାରିବେ । ମୁଁ ଚାହୁଁ ନାହିଁ ଆମ ପରିବାରର ନାମ ତାଙ୍କ ସହିତ ଜଡିତ ହେଉ । ସ୍ୱପନ ବାନାର୍ଜୀଙ୍କୁ ନେଇ ମମତା ବାନାର୍ଜୀ କହିଛନ୍ତି, ଲୋକମାନଙ୍କ ବୟସ ବଢ଼ିବା ସହ ସେମାନଙ୍କର ଲୋଭ ମଧ୍ୟ ବଢ଼ିଥାଏ । ଆମ ପରିବାରରେ ସମୁଦାୟ ୩୨ ଜଣ ସଦସ୍ୟ ଅଛନ୍ତି । ମୁଁ ତାଙ୍କୁ ମୋ ପରିବାରର ସଦସ୍ୟ ଭାବୁନାହିଁ । ଆଜିଠାରୁ କେହି ତାଙ୍କୁ ମୋ ଭାଇ ଭାବରେ ପରିଚିତ କରାଇବେ ନାହିଁ । ତାଙ୍କ ସହିତ ମୋର ସମ୍ପର୍କ ଭାଙ୍ଗିବାକୁ ମୁଁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ମମତା ବାନାର୍ଜୀ । ସୂଚନା ଅନୁସାରେ ସ୍ୱପନ ବାନାର୍ଜୀ ଏବେ ତାଙ୍କ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଦିଲ୍ଲୀରେ ଅଛନ୍ତି ।
ସେ କହିଥିଲେ ଯେ ‘ହାୱଡା ଲୋକସଭା ଆସନ ପାଇଁ ତୃଣମୂଳ କଂଗ୍ରେସ ଅନ୍ୟ କିଛି ଦକ୍ଷ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ଉଚିତ୍ । ହାୱାଡା ଲୋକସଭା ଆସନରୁ ପ୍ରାର୍ଥୀ ଚୟନରେ ମୁଁ ଖୁସି ନୁହେଁ । ପ୍ରସନ୍ନ ବାନାର୍ଜୀ ସଠିକ୍ ପସନ୍ଦ ନୁହଁନ୍ତି । ଅନେକ ଦକ୍ଷ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଛି ବୋଲି କହିଥିଲେ ମମତା ବାନାର୍ଜୀଙ୍କ ଭାଇ ସ୍ୱପନ । ସେହିପରି ବିଜେପିରେ ସାମିଲ ହେବା ନେଇ ଜାରି ରହିଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରିଛନ୍ତି ସ୍ୱପନ । ତେବେ ଏକ ଫେସବୁକ୍ ଭିଡିଓରେ ସେ ତାଙ୍କ ଭଉଣୀକୁ ସମର୍ଥନ କରିବେ ବୋଲି କହିଛନ୍ତି ଏବଂ ତାଙ୍କ ବିଜେପିରେ ଯୋଗଦେବା ଖବର ମିଥ୍ୟା ବୋଲି ସେ କହିଛନ୍ତି ।