ହଂକଂ: ସିଙ୍ଗାପୁର ଓ ଜୁରିକ୍ (ସ୍ୱିଜରଲାଣ୍ଡ) ବିଶ୍ୱର ସବୁଠାରୁ ବ୍ୟୟବହୁଳ ସହରଭାବେ ମାନ୍ୟତାଲାଭ କରିଛନ୍ତି । ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ସିଙ୍ଗାପୁର ଓ ଜୁରିକ୍ ଯୁଗ୍ମଭାବେ ଶୀର୍ଷ ସ୍ଥାନ ଅଧିକାର କରିଥିବାବେଳେ ଏହାପଛକୁ ଜେନିଭା (ସ୍ୱିଜରଲାଣ୍ଡ), ନ୍ୟୁୟର୍କ (ଅମେରିକା) ଓ ହଂକଂ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନ ଅଧିକାର କରିଥିବା କୁହାଯାଇଛି । ବିଗତ ଏକବର୍ଷ ମଧ୍ୟରେ ଏହି ସହରଗୁଡିକରେ ୨୦୦ଟି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ସେବା ବାବଦ ମୂଲ୍ୟ ୭.୪ ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୨ରେ ଏହା ୮.୧ ପ୍ରତିଶତ ବୃଦ୍ଧି ପାଇଥିଲା । ବିଭିନ୍ନ କ୍ୟାଟେଗୋରୀରେ ସିଙ୍ଗାପୁର ନବମ ଥର ପାଇଁ ସବୁଠୁ ବ୍ୟୟବହୁଳ ସହର ମାନ୍ୟତା ବଜାୟ ରଖିଛି ।
ସିଙ୍ଗାପୁରରେ ପରିବହନ ଭଡା ସବୁଠାରୁ ଅଧିକ ହୋଇଥିବାବେଳେ ପୋଷାକ, ଗ୍ରୋସରୀ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ମନୋରଞ୍ଜନ ଖର୍ଚ୍ଚ ମଧ୍ୟ ସେହି ଅନୁପାତରେ ଅଧିକ ସାବ୍ୟସ୍ତ ହୋଇଛି । ସୁଇସ୍ ଫ୍ରାଙ୍କ୍ (ସ୍ୱିଜରଲାଣ୍ଡ ମୁଦ୍ରା) ଦିନକୁ ଦିନ ଶକ୍ତିଶାଳୀ ହେଉଥିବାରୁ ଏହାର ପ୍ରଭାବ ଜୁରିକ୍ ସହରର ଜୀବନଶୈଳୀ ଉପରେ ପଡୁଛି । ଅପରପକ୍ଷରେ ଜେନିଭା ଓ ନ୍ୟୁୟର୍କ ସହରରେ ମଧ୍ୟ ଅନୁରୂପ ପ୍ରଭାବ ପରିଲକ୍ଷିତ ହୋଇଛି । ୟୁରୋପ ଓ ଆମେରିକୀୟ ରାଷ୍ଟ୍ର ତୁଳନାରେ ଏସୀୟ ରାଷ୍ଟର ସହରଗୁଡିକ ଅପେକ୍ଷାକୃତ ଶସ୍ତା ଥିବା ଜଣାପଡିଛି । ଚୀନ୍ର ବେଜିଂ, ସାଂଘାଇ, ନାନ୍ଜିଙ୍ଗ୍ ଏବଂ ଜାପାନର ଟୋକିଓ ଓ ଓସାକା ତାଲିକାରେ ନିମ୍ନକୁ ଖସିଛନ୍ତି ।