20.1 C
Bhubaneswar
Thursday, January 9, 2025
Homeଓଡିଶାପାଣିରେ ପଡ଼ିବ ୩୩ କୋଟି! ସୁନାମି ବନ୍ଧ କାମ ଅଧା, ଠିକାଦାର ଛୁଟ୍ଟ

ପାଣିରେ ପଡ଼ିବ ୩୩ କୋଟି! ସୁନାମି ବନ୍ଧ କାମ ଅଧା, ଠିକାଦାର ଛୁଟ୍ଟ

ଭୁୁବନେଶ୍ୱର: ଉପକୂଳବାସୀଙ୍କୁ ସୁନାମି ଦାଉରୁ ସୁରକ୍ଷା ମିଳିବ। ନହରଣା ପଞ୍ଚାୟତ ଠାରୁ ବନ୍ଦର ସାମୁଦ୍ରିକ ଥାନା ପର୍ୟ୍ୟନ୍ତ ଦେବୀନଈ ବନ୍ଧକୁ ସୁଦୃଢ଼ କରାଯିବ। ୩ଟି ସ୍ଲୁଇସ୍‌ଗେଟ୍ ନିର୍ମାଣ ହେବ। ଚାଷୀଙ୍କ କ୍ଷେତକୁ ଯିବ ନଈର ମଧୁର ଜଳ। ଚାଷୀମାନେ ଫସଲ ଉତ୍ପାଦନ କରି ସ୍ବାବଲମ୍ବୀ ହେବେ। ଜଳସମ୍ପଦ ବିଭାଗ ପକ୍ଷରୁ ଏମିତି କିଛି ଯୋଜନା କରାଯାଇଥିଲା। ପ୍ରକଳ୍ପ ପାଇଁ ୩୩ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ହେଲେ କାର୍ୟ୍ୟାଦେଶ ପାଇଥିବା ଠିକା ସଂସ୍ଥା କାମ ଅଧା ଛାଡ଼ି ଚାଲିଯାଇଥିବାରୁ ଉପକୂଳବାସୀ ଆଶା ଓ ଆଶଙ୍କାରେ ରହିଛନ୍ତି। ୧୯୯୯ ମହାବାତ୍ୟା ସମୟରେ ବାଲିକୁଦା ବ୍ଲକ୍‌ର ସମୁଦ୍ର କୁଳିଆ ପଞ୍ଚାୟତ ମରିଚପୁର, କୁସୁପୁର, ନହରଣା, ଅନନ୍ତପୁର ପଞ୍ଚାୟତରେ ସମୁଦ୍ରର ଉଚ୍ଚ ସୁନାମି ଢେଉ ପ୍ରବେଶ କରିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅନେକ ଧନ ଜୀବନ ନଷ୍ଟ ହୋଇଥିଲା। ଯାହାଫଳରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ସୁନାମି ବନ୍ଧ ଯୋଜନାରେ ବାଲିକୁଦା ବ୍ଲକ୍ ନହରଣା ପଞ୍ଚାୟତ ଠାରୁ ବନ୍ଦର ସାମୁଦ୍ରିକ ଥାନା ପର୍ୟ୍ୟନ୍ତ ଦେବୀନଦୀ ବନ୍ଧକୁ ଉଚ୍ଚ ଓ ସୁଦୃଢ କରିବା ପାଇଁ ଯୋଜନା ହୋଇଥିଲା। ୩୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ପ୍ରକଳ୍ପ ନିର୍ମାଣ ପାଇଁ କ୍ଲାସିକ୍ ସୁପର୍ ପ୍ରାଇଭେଟ୍ କମ୍ପାନି ଦାୟିତ୍ବ ନେଇଥିଲା। କାର୍ୟ୍ୟାଦେଶ ଅନୁସାରେ ବଡ଼ବାଲି ଠାରୁ ବନ୍ଧକୁ ପ୍ରଶସ୍ତ ଓ ଉଚ୍ଚ କରିବା ସହ ରାସ୍ତା ମଧ୍ୟରେ ୩ଟି ସ୍ଲୁଇସ୍‌ଗେଟ୍ ନିର୍ମାଣ ହେବ। ଏହି ସ୍ଲୁଇସ୍‌ଗେଟ୍ ଦେଇ ଦେବୀନଦୀର ମଧୁର ଜଳ ବରମୁଣ୍ଡଳୀ, ନହରଣା ଓ ମରିଚପୁର ଅଞ୍ଚଳକୁ ଗଲେ ଚାଷୀମାନେ ଭଲ ଫସଲ ଉତ୍ପାଦନ କରିପାରିବେ ବୋଲି କୁହାଯାଇଥିଲା। କାରଣ ଏହି ଅଞ୍ଚଳକୁ କେନାଲ ସଂଯୋଗ ନାହିଁ। ଚାଷୀମାନେ ସମ୍ପୂର୍ଣ୍ଣ ବର୍ଷା ଉପରେ ନିର୍ଭର କରି ଧାନ ଚାଷ କରିତାନ୍ତି।
ଠିକ୍ ସମୟରେ ବର୍ଷା ନହେଲେ ମରୁଡ଼ି ସ୍ଥିତି ଉପୁଜିଥାଏ। ଏନେଇ ସ୍ଥାନୀୟ ଜନସାଧାରଣ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିବା ପରେ ସରକାର ଏପରି ଏକ ଯୋଜନା କରିଥିଲେ। ହେଲେ ଠିକା ସଂସ୍ଥା କେବଳ ରାସ୍ତାରେ ମାଟି ପକାଇ ଏହାକୁ ଉଚ୍ଚ ଓ ପ୍ରଶସ୍ତ କରିଥିବା ବେଳେ ଦୁଇଟି ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ସ୍ଥାନରେ ଅଧା ଖୋଳି କାମ ଛାଡ଼ି ଚାଲିଯାଇଛି। ଏହା ମଧ୍ୟରେ ୩ ବର୍ଷ ବିତି ଯାଇଥିଲେ ବି କାମ ଶେଷ ହୋଇନାହିଁ। ନଈରେ ବନ୍ୟା ପାଣି ଆସିବା ବେଳେ ଦେବୀନଈ ମଧ୍ୟ ବିପଦ ସଙ୍କେତ ଉର୍ଦ୍ଧ୍ବରେ ଥିଲା। କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ନକରି ବିଭାଗ ତାଳିପକା ନୀତିରେ ଉକ୍ତ ସ୍ଥାନରେ ବାଲି ବସ୍ତା ପକାଇ ମରାମତି କରି କାମ ଚଳାଇ ନେଇଥିଲା। ବିଭାଗୀୟ ଉଚ୍ଚ ଅଧିକାରୀ ତଦାରଖ ଅଭାବ ଓ ଠିକାଦାରଙ୍କ ପ୍ରିୟାପ୍ରୀତି ତୋଷଣ ପାଇଁ ବର୍ତ୍ତମାନ ହଜାର ହଜାର ସାଧାରଣ ଜନତାଙ୍କ ଭାଗ୍ୟ ଦୁର୍ଭାଗ୍ୟ ମଧ୍ୟକୁ ଠେଲି ହୋଇଯିବାକୁ ବସିଛି। ଯଦି କୌଣସି ସ୍ଥିତିରେ ଏଠାରେ ଘାଇ ସୃଷ୍ଟି ହୋଇଥାନ୍ତା, ତେବେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା ବୋଲି ପ୍ରଶ୍ନ ଉଠିଛି। ଏନେଇ ବିଭାଗୀୟ ଯନ୍ତ୍ରୀ ଅନୀଲ କୁମାର ରାଉତରାୟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ, ଆମେ ଠିକାଦାରଙ୍କୁ ନୋଟିସ୍ କରିଛୁ। ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି। ଠିକା ସଂସ୍ଥାକୁ ମାର୍ଚ୍ଚ ମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏଥିରେ ଖିଲାପ ହୁଏ, ତେବେ ଆଇନ ଅନୁଯାୟୀ ଉକ୍ତ ସଂସ୍ଥାକୁ ଦଣ୍ଡିତ କରାଯିବା ସହ ଅନ୍ୟ ଏକ ଟେଣ୍ଡର୍ ମାଧ୍ୟମରେ କାମ ସମ୍ପୂର୍ଣ୍ଣ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking