17.7 C
Bhubaneswar
Friday, December 27, 2024
Homeଓଡିଶା୨୪ଘଣ୍ଟାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

୨୪ଘଣ୍ଟାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ରହିଥିବା ଲଘୁଚାପ ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଝଡ଼ି ବର୍ଷା ଓ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି । ଆସନ୍ତା ୨୪ଘଣ୍ଟାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟର ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ଏହି ୭ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଏହି ସମୟ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାର କେତେକାଂଶରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏଣୁ ଏହି ସବୁ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୩.୭ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୪୨% ଅଧିକ । ସର୍ବାଧିକ ହାରାହାରି ବର୍ଷା କୋରାପୁଟ ଜିଲ୍ଲାରେ ୭୩.୮ ମିମି ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୯.୭ ମିମି ତୁଳନାରେ ୬୬୧% ଅଧିକ ରହିଛି । ଗୁରୁବାର ସକାଳ ସାଢ଼େ ୮ଟାରୁ ଅପରାହ୍ନ ସାଢ଼େ ୫ଟା ମଧ୍ୟରେ ରାଜ୍ୟର ସର୍ବାଧିକ ବର୍ଷା ଗୋପାଳପୁରଠାରେ ୮୮.୮ ମିମି ରେକର୍ଡ ହୋଇଛି । ସେହିଭଳି ରାଉରକେଲାରେ ୫୩.୦ ମିମି, ଚାନ୍ଦବାଲିରେ ୫୧.୯ ମିମି ଓ ଛତ୍ରପୁରରେ ୪୪.୬ ମିମି ଲେଖାଏ ବର୍ଷା ରେକର୍ଡ ହୋଇଯାଇଛି ।

ଏଥିସହ ୧ ଜୁନ୍‌ରୁ ସେପ୍ଟେମ୍ବର୨୦ ମଧ୍ୟରେ ରାଜ୍ୟରେ ୧୦୪୧.୩ ମିମି ବର୍ଷା ହୋଇଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୧୦୯୧.୧ ମିମି ତୁଳନାରେ ୫% କମ୍ । ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ୨ ଜିଲ୍ଲା ଯଥା- ଝାରସୁଗୁଡ଼ା ଓ ବୌଦ୍ଧରେ ସର୍ବାଧିକ ଓ ନବରଙ୍ଗପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରେ ନିଅଣ୍ଟିଆ ବର୍ଷା ହୋଇଯାଇଛି ।

ଅନ୍ୟପଟେ ରାଜ୍ୟରେ ବର୍ଷା ଥିଲେ ବନ୍ୟା ଆଶଙ୍କା ନ ଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚା ଯନ୍ତ୍ରୀ କହିଛନ୍ତି । ହୀରାକୁଦ ଜଳସ୍ତର ବର୍ତ୍ତମାନ ହ୍ରାସ ପାଉଛି । ଏବେ ୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦକୁ ୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୭୦ରୁ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମୁଣ୍ଡଳିରେ ୩ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦ ସ୍ଥିତି ସ୍ୱାଭାବିକ ଅଛି । ଆଉ ଗେଟ୍ ବନ୍ଦ ନେଇ ନିଷ୍ପତ୍ତି ହୋଇନି । ଆସନ୍ତାକାଲି ଉପର ଓ ତଳମୁଣ୍ଡରେ ବର୍ଷା ହେବାର ଅଛି । ତାକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking