ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ବିଧାନସଭା ମୌସୁମୀ ଅଧିବେଶନ । ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିବେ । ଅକ୍ଟୋବର ୩ରେ ବ୍ୟୟମଞ୍ଜରୀ ବିଲ୍ ଆଗତ ହୋଇ ପାରିତ ହେବ । ତେବେ ବିଭିନ୍ନ ପ୍ରସଙ୍ଗରେ ଗୃହ ସର୍ଗରମ ହେବାର ସମ୍ଭାବନା ରହିଛି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତ୍ରିସ୍ତରୀୟ ବଳୟରେ ୩୦ ପ୍ଲାଟୁନ ପୁଲିସ୍ ମୂତୟନ ହୋଇଛନ୍ତି ।
ମୌସୁମୀ ଅଧିବେଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ପ୍ରଥମ ଦିନରେ ହିଁ ଗୃହ ପରିଚାଳନା କରିବେ । ପ୍ରାୟ ଚାରି ମାସ ଧରି ବାଚସ୍ପତି ପଦବୀ ଖାଲି ପଡ଼ିଥିଲା । ଗତ ମେ ୧୨ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରିମଣ୍ଡଳକୁ ଫେରାଇ ଆଣି ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗର ଦାୟିତ୍ୱ ଦେଇଥିଲେ । ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇପ୍ତଫା ପରେ ୨୦୨୨ ଜୁନ୍ ୧୩ରେ ଶ୍ରୀ ଆରୁଖ ବିଧାନସଭା ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ସେ ପ୍ରାୟ ଗୋଟିଏ ବର୍ଷ ଏହି ପଦବୀରେ ରହି କାର୍ଯ୍ୟ କରିଛନ୍ତି । ଏବେ ୨୬ତମ ନୂଆ ବାଚସ୍ପତି ଭାବେ ପ୍ରମିଳା ଶପଥ ନେବେ ।
ଗୁରୁବାର ବିଧାନସଭା ଆରମ୍ଭ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ପୁଲିସ୍ ଡିଜି ସୁନିଲ ବଂଶଲ । ସେ କହିଛନ୍ତି ଯେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । ସେଥିପାଇଁ ସୁରକ୍ଷା ଲାଗି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୫ଟି କଣ୍ଟ୍ରୋଲ ରୁମ ରହିଛି । ଏଥିସହ ଷ୍ଟ୍ରାଇକିଂ ଫୋର୍ସ, କୁଇକ୍ ରେସ୍ପନ୍ସ ଟିମ, ସ୍ପେଶାଲ ଟାଇଟିକାଲ ୟୁନିଟ୍ ରହିବେ । ପ୍ରଥମ ଥର ପାଇଁ ବାହାରେ ଏସ୍ଟିୟୁ ଓ ଓଏସ୍ଏଫ୍ ନିୟୋଜିତ ହେବ । ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଲି ଓ ଧାରଣ ଉପରେ ନଜର ରଖାଯାଇଛି । ପୂରା ଧାରଣାସ୍ଥଳ ସିସିଟିଭି ସର୍ଭିଲାନ୍ସରେ ରହିବ ବୋଲି ଶ୍ରୀ ବଂଶଲ ପ୍ରକାଶ କରିଛନ୍ତି ।
ଏହି ସୁରକ୍ଷା ବ୍ୟବସ୍ଥା ସମୀକ୍ଷାବେଳେ ଅନ୍ୟମାନଙ୍କ ମଧ୍ୟରେ ପୁଲିସ୍ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି, ଭୁବନେଶ୍ୱର ସିପିପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଯେ ୨୨ରେ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଏହାର ପର ଦୁଇଦିନ ଅର୍ଥାତ ସେପ୍ଟେମ୍ବର ୨୩ ଓ ୨୪ରେ ବନ୍ଦ୍ ରହିବ । ସେହିପରି ସେପ୍ଟେମ୍ବର ୨୯ରେ ମହମ୍ମଦଙ୍କ ଜନ୍ମଦିନ ଓ ଅକ୍ଟୋବର ୧ରେ ଗାନ୍ଧୀଜୟନ୍ତୀ ପାଇଁ ଗୃହ ମୂଲତବୀ ରହିବ । ବାକି ଦିନରେ ଗୃହ ଚାଲିବ ।