27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଏଣିକି ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର

ଏଣିକି ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି । ବିଜ୍ଞାନ, କାରିଗରୀକୌଶଳ ଏବଂ ଉଦ୍ଭାବନ କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପୂର୍ବରୁ ଦିଆଯାଉଥିବା ବିଜ୍ଞାନ ସମ୍ପର୍କିତ ୩୦୦ ପୁରସ୍କାରକୁ ବାତିଲ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୪ଟି କ୍ୟାଟେଗୋରୀ ଯଥା ‘ବିଜ୍ଞାନ ରତ୍ନ’, ‘ବିଜ୍ଞାନ ଶ୍ରୀ’, ‘ବିଜ୍ଞାନ ଯୁବ-ଶାନ୍ତି ସ୍ୱରୂପ ଭଟ୍ଟନାଗର’ ଏବଂ ‘ବିଜ୍ଞାନ ଟିମ୍‌’ ପାଇଁ ପୁରସ୍କାର ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୧୩ଟି କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀ ମନୋନୟନ କରିବେ । ଏପରିକି ବିଦେଶରେ ବାସ କରୁଥିବା ଭାରତୀୟ ଯେଉଁମାନେ ଭାରତ ପାଇଁ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବେ, ସେମାନେ ମଧ୍ୟ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି କୁହାଯାଇଛି ।

ଜୀବନବ୍ୟାପୀ ସାଧାନ ପାଇଁ ‘ବିଜ୍ଞାନ ରତ୍ନ’, ଉଲ୍ଲେଖନୀୟ ଅବଦାନ ନିମନ୍ତେ ‘ବିଜ୍ଞାନ ଶ୍ରୀ’ ପୁରସ୍କାର ଧାର୍ଯ୍ୟ କରାଯାଇଛି । ଅପରପକ୍ଷରେ ସିଏସ୍‌ଆଇଆର୍ (କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) ପକ୍ଷରୁ ୧୯୫୮ରୁ ଦିଆଯାଉଥିବା ୭ଟି କ୍ୟାଟେଗୋରୀକୁ ୧୩କୁ ବୃଦ୍ଧି କରାଯାଇଛି । ୪୫ ବର୍ଷ ବୟସ ପର୍ଯ୍ୟନ୍ତ ଯୁବ ଓ ଯୋଗ୍ୟ ବୈଜ୍ଞାନିକ ଏହି ପୁରସ୍କାର ପାଇଁ ବିବେଚିତ ହେବେ । ଶେଷରେ ତିନି କିମ୍ବା ଅଧିକ ବୈଜ୍ଞାନିକଙ୍କୁ ନେଇ ଗଠିତ ଟିମ୍ ଯଦି ବିଜ୍ଞାନ ଓ କାରିଗରୀକୌଶଳ ପ୍ରସଙ୍ଗରେ ଉଲ୍ଲେଖନୀୟ ଅବଦାନ ରଖିଥିବେ, ତେବେ ସେମାନଙ୍କୁ ‘ବିଜ୍ଞାନ ଟିମ୍‌’ ପୁରସ୍କାର ପାଇଁ ମନୋନୀତ କରାଯିବ । ପଦାର୍ଥ ବିଜ୍ଞାନ, ରସାୟନ ଶାସ୍ତ୍ର, ବାଓଲୋଜିକାଲ ସାଇନ୍ସ, ଗଣିତ ଏବଂ କମ୍ପ୍ୟୁଟର ସାଇନ୍ସ, ଆର୍ଥ ସାଇନ୍ସ, ମେଡିସିନ୍‌, ଇଞ୍ଜିନିୟରିଂ ସାଇନ୍ସ, ଅଗ୍ରିକଲଚରାଲ ସାଇନ୍ସ, ଏନ୍‌ଭିରୋମେଣ୍ଟାଲ ସାଇନ୍ସ, ଟେକ୍ନୋଲୋଜି ଆଣ୍ଡ୍ ଇନୋଭେସନ, ଆଟୋମିକ୍ ଏନର୍ଜି, ମହାକାଶ ବିଜ୍ଞାନ ଆଦି କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ମନୋନୟନ କରାଯିବ ।

ପ୍ରତିବର୍ଷ ଜାନୁଆରୀ ୧୪ରୁ ଫେବୃଆରୀ ୨୮ ମଧ୍ୟରେ ଆବେଦନପତ୍ର ଗ୍ରହଣ କରାଯିବ । ନ୍ୟାସନାଲ ଟେକ୍ନୋଲୋଜି ଦିବସ ଅର୍ଥାତ ମେ’ ୧୧ରେ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ଅଗଷ୍ଟ ୨୩ (ଜାତୀୟ ମହାକାଶ ଦିବସ)ରେ ଏହା ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking