ମାଲକାନଗିରି : ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ବାୟାପଡ଼ା ଘାଟିରେ ଭୁସ୍ଖଳନ ହୋଇଛି । ଯାହାଫଳରେ ନାକାମାମୁଡ଼ି ପଞ୍ଚାୟତର ୧୯ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ପ୍ରାୟ ୩ ହଜାର ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ବାୟାପଡ଼ା ଘାଟି ଅଞ୍ଚଳରେ ବସବାସ କରୁଥିବା ଏହି ଗାଁଗୁଡ଼ିକ ଘାଟି ରାସ୍ତା ଦେଇ ଯିବା ଆସିବା କରନ୍ତି । ୨ବର୍ଷ ତଳେ ପାହାଡ଼ କଟାଯାଇ ଘାଟିରେ ଏହି ରାସ୍ତା ତିଆରି କରାଯାଇଥିଲା । ଭୁସ୍ଖଳନ ହେବା ଯୋଗୁ ପାହାଡ଼ରୁ ମାଟି ଓ ପଥର ଧସେଇ ଆସି ରାସ୍ତା ଉପରେ ପଡ଼ିଛି । ଯାହାଫଳରେ ଯୋଗାଯୋଗ ବିଚ୍ଛନ୍ନ ହୋଇଯାଇଛି ।
ବର୍ଷା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସଫା କରାଯାଇ ପାରି ନାହିଁ । ଯାହାଫଳରେ ୧୯ଟି ଗାଁର ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ଅନ୍ୟପକ୍ଷରେ ଲଗାଣବର୍ଷା ଯୋଗୁ ମାଲକାନଗିରିରେ ଥିବା ଗୋଦାବରୀ ନଦୀ ସମେତ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଯାହାଫଳରେ ଜିଲ୍ଲାରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି । ଏନେଇ ପ୍ରଶାସନ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି । ପାଣି ବଢ଼ିଲେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ସ୍ଥାନାନ୍ତର ପରେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗେଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।