17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଟ୍ରେନ୍ ଦୁର୍ଘଟଣା ମାମଲାରେ ମମତାଙ୍କ ଘୋଷଣା; ପୀଡିତଙ୍କ ପରିବାରବର୍ଗଙ୍କୁ ସରକାରୀ ଚାକିରୀ

ଟ୍ରେନ୍ ଦୁର୍ଘଟଣା ମାମଲାରେ ମମତାଙ୍କ ଘୋଷଣା; ପୀଡିତଙ୍କ ପରିବାରବର୍ଗଙ୍କୁ ସରକାରୀ ଚାକିରୀ

କୋଲକାତା: କରମଣ୍ଡଳ ଟ୍ରେନ ଦୁର୍ଘଟଣା ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବଡ ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପଶ୍ଚିମବଙ୍ଗର ପ୍ରତ୍ୟେକ ଯାତ୍ରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯିବ ବୋଲି ମମତା କହିଛନ୍ତି । ଏହାବ୍ୟତୀତ ଦୁର୍ଘଟଣାରେ ହାତ କିମ୍ବା ଗୋଡ ହରାଇ ଭିନ୍ନକ୍ଷମ ହୋଇଥିବା ଯାତ୍ରୀଙ୍କ ପରିବାରକୁ ମଧ୍ୟ ଏହି ସୁଯୋଗ ମିଳିବ ବୋଲି ମମତା ସ୍ପଷ୍ଟ କରିଛନ୍ତି । ଦୁର୍ଘଟଣା ଯୋଗୁଁ ମାନସିକ ଓ ଶାରିରୀକସ୍ତରରେ ଆଘାତ ପାଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ମମତା ଆସନ୍ତାକାଲି ଅର୍ଥାତ ମଙ୍ଗଳବାର କଟକ ଓ ଭୁବନେଶ୍ୱର ଗସ୍ତକରି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପଶ୍ଚିମବଙ୍ଗ ଯାତ୍ରୀମାନଙ୍କୁ ଭେଟିବେ ବୋଲି ଜଣାପଡିଛି । ସରକାରୀ ସୂଚନା ମୁତାବକ ବର୍ତ୍ତମାନ କଟକ ଓ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ପଶ୍ଚିମବଙ୍ଗର ୨୦୬ ଜଣ ଯାତ୍ରୀ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍କଟାପନ୍ନ ଅବସ୍ଥାରେ ଥିବା ୩୩ ଜଣ ଯାତ୍ରୀ କଟକରେ ଚିକିତ୍ସିତ ହେଉଛନ୍ତି । ମମତାଙ୍କ ସହ ପଶ୍ଚିମବଙ୍ଗ ସରକାର ଅଧୀନରେ କାର୍ଯ୍ୟରତ ବରିଷ୍ଠ ଆଇଏଏସ ଅଫିସର ମଧ୍ୟ ଓଡ଼ିଶା ଆସୁଥିବା ଜଣାପଡିଛି । ଏହି ଅବସରରେ ଆସନ୍ତା ବୁଧବାର ମମତା ଚିକିତ୍ସିତ ହେଉଥିବା ଯାତ୍ରୀଙ୍କୁ କ୍ଷତିପୂରଣ ବାବଦ ଚେକ୍ ଓ ଭିନ୍ନକ୍ଷମ ଯାତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ମମତା ଆହୁରି କହିଛନ୍ତି ଯେ ତାଙ୍କର ଏହି ଗସ୍ତକୁ ନେଇ କୌଣସି ରାଜନୀତି କରିବାର ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ ହିସାବରେ ସେ କେବଳ ତାଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି ।

ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତ ହୋଇଥିବା ଯାତ୍ରୀ ଓ ସେମାନଙ୍କ ପରିବାର ପ୍ରତି ସହାନୁଭୂତି ଓ ସହାୟତା ଜରୁରୀ ହୋଇପଡିଥିବା ସେ କହିଛନ୍ତି । ମମତା ଏହି କାର୍ଯ୍ୟ ପାଇଁ ତାଙ୍କର ଚାରିଦିନିଆ ଦାର୍ଜିଲିଂ ଗସ୍ତକୁ ବାତିଲ ମଧ୍ୟ କରିଛନ୍ତି । ଚଳିତବର୍ଷ ଶେଷଆଡକୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ମମତା ଦାର୍ଜିଲିଂ ଗସ୍ତରେ ଯିବାର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇଥିଲା । ମମତା କୋଲକାତାରେ ଚିକିତ୍ସିତ ହେଉଥିବା କେତେକ ଯାତ୍ରୀଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଗତ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ଷ୍ଟେସନ ନିକଟରେ ଏକ ମାଲଗାଡିକୁ ପଛରୁ ଧକ୍କା ଦେବାପରେ ଦ୍ରୁତଗତିରେ ଆସୁଥିବା କରମଣ୍ଡଳ ଏକ୍ସପ୍ରେସର ଏକାଧିକ ବଗି ଲାଇନଚ୍ୟୁତ ହୋଇଥିଲା । ଏପରିକି ଏହାର କିଛି ବଗି ପାଶ୍ୱର୍ରେ ଥିବା ରେଳଧାରଣା ଉପରେ ପଡିଥିବାବେଳେ ହାୱଡା ଆଡକୁ ଯାଉଥିବା ହାୱଡା-ଯଶୱନନ୍ତପୁର ଏକ୍ସପ୍ରେସ ସେଗୁଡିକୁ ଧକ୍କା ଦେଇଥିଲା । ଏଥିରେ ୨୮୮ ଯାତ୍ରୀ ପ୍ରାଣ ହରାଇଥିବାବେଳେ ୯୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking