ନୀଳଗିରି : ଏକବିଂଶ ଶତାବ୍ଦୀରେ ସଭ୍ୟସମାଜ ମାନସିକ ବିକାରଗ୍ରସ୍ତ ଚିନ୍ତାଧାରାରେ ମଣିଷକୁ ପିଶାଚଗାମୀ କରାଇ ଘୃଣ୍ୟତାର ଶେଷ ସୀମାରେ ପହଞ୍ଚାଇ ନର ରାକ୍ଷାସରେ ପରିଣତ କରିପାରେ । ଘୃଣ୍ୟ ମାନସିକତାର ବଶବର୍ତ୍ତୀ ହୋଇ ନର ପିଶାଚ ସାଜି ନିଜ ଶିଶୁକନ୍ୟାକୁ ଅଲୋଡ଼ା ଭାବି ହତ୍ୟା କରିବାକୁ ପଛାଇ ନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ସିଙ୍ଗିରି ଗ୍ରାମରେ ।
ପିଶାଚ ପିତା ହେଉଛନ୍ତି ବାଲେଶ୍ୱର ମଲ୍ଲୀକାଶପୁର ଅଞ୍ଚଳର ଚନ୍ଦନ କୁମାର ମହାର୍ଣ୍ଣା । ୨୦ ଦିନ ତଳେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଅସ୍ତ୍ରପୋଚାର ମାଧ୍ୟମରେ ଚନ୍ଦନଙ୍କ ସ୍ତ୍ରୀ’ଙ୍କ ଗର୍ଭରୁ ଏକ ଶିଶୁକନ୍ୟା ଜନ୍ମ ନେଇଥିଲା । ପରେ ଶିଶୁକନ୍ୟା ସହ ମା’ନିଜ ବାପଘର ସିଙ୍ଗିରି ସ୍ଥିତ ବାସଭବନରେ ରହିଆସୁଥିଲେ । ମଙ୍ଗଳବାର ଶିଶୁକନ୍ୟାର ଏକୋଇସିୟା ପାଇଁ ପରିବାର ଲୋକ ବ୍ୟସ୍ତ ଥିବା ବେଳେ ରବିବାର ଶିଶୁକନ୍ୟାର ପିତା ଚନ୍ଦନ ଶଶୁର ଘର ସିଂଗିରିରେ ରାତ୍ରି ଯାପନ କରିଥିଲେ ।
ସୋମବାର ସକାଳେ ଶିଶୁର ମା’ ପାଇଖାନା ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତଥିବା ଚନ୍ଦନ ଶିଶୁକନ୍ୟାକୁ ବିଷ ଇଞ୍ଜେକ୍ସନ ଦେଇଦେଇଥିଲା । ଫଳରେ ଶିଶୁଟି ଚିତ୍କାର କରିଥିଲା । ଚିତ୍କାର ଶୁଣି ମା’ଘଟଣାସ୍ଥଳରେ ପହଞ୍ଚି ଝିଅ କାହଁକି କାନ୍ଦୁଛି ବୋଲି ପ୍ରଶ୍ନ କରିଥିଲେ ଏବଂ ଶିଶୁ କନ୍ୟାର ରକ୍ତାକ୍ତ ହାତକୁ ଦେଖି ଚିତ୍କାର କରିବାରୁ ଘରଲୋକ ରୁଣ୍ଡହୋଇ ଯାଇଥିଲେ । ଝିଅ ରକ୍ତାକ୍ତ ହେବାର କାରଣ ପଚାରିବାରୁ ଚନ୍ଦନ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ।
ଝିଅର ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା । ଝିଅକୁ ବିଷ ଦିଆଯାଇଥିବା ଡାକ୍ତର କହିବା ପରେ ପରିବାର ଲୋକ ଚନ୍ଦନକୁ ବାରମ୍ବାର ପଚରାଉଚରା କରିବାପରେ ଚନ୍ଦନ ବିଷ ଇଞ୍ଜେକ୍ସନ ଦେଇଥିବା ମାନିଥିଲେ । ଶିଶୁକନ୍ୟକୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି । ଅଭିଯୁକ୍ତ ପିତା ଚନ୍ଦନକୁ ନୀଳଗିରି ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ତେବେ ପ୍ରଶ୍ନ ଉଠେ ଚନ୍ଦନ ବିଷ ଇଞ୍ଜେକ୍ସନ ପାଇଲେ କେଉଁଠୁ । ପ୍ରଶାସନ ଘଟଣାକୁ ଗୁରୁତର ସହ ନେଇ ଅଧିକ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।