28.1 C
Bhubaneswar
Thursday, May 2, 2024
Homeଓଡିଶାପୋଖରିରେ ବୁଡ଼ି ନାବାଳକ ମୃତ

ପୋଖରିରେ ବୁଡ଼ି ନାବାଳକ ମୃତ

ଠାକୁରମୁଣ୍ଡା : ଗାଧୋଇବା ବେଳେ ପୋଖରିରେ ବୁଡି ଜଣେ ୧୦ ବର୍ଷ ବାଳକର ମୃତ୍ୟୁ ହୋଇଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ନିହାଣଗଣ୍ଡି ଗ୍ରାମରେ । ସୂଚନା ଅନୁଯାୟୀ ଗ୍ରାମର ରବିନ୍ଦ୍ର ଜେନାଙ୍କ ଏକ ମାତ୍ର ପୁଅ ଗିରିଧାରୀ ଜେନା ଓରଫ୍ ବିକି(୧୦) ସୋମବାର ସକାଳ ପ୍ରାୟ ୮ଟା ସମୟରେ ନିଜର କିଛି ସାଙ୍ଗ ମାନଙ୍କ ସହିତ ଘର ପାଖରେ ଥିବା ପୋଖରିକୁ ଗାଧୋଇବା ପାଇଁ ଯାଇଥିଲେ ।

ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ପୋଖରି ଭିତରେ ବୁଡ଼ି ଯାଇଥିଲେ । ବୁଡି ଯାଉଥିବା ସମୟରେ ପାଖରେ ଥିବା ସାଙ୍ଗ ମାନେ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ । ଚିତ୍କାର ଶୁଣି ପୋଖରି ପାଖରେ ଗାଈ ଚରାଉଥିବ ଜଣେ ବ୍ୟକ୍ତି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗଭୀର ଖାତ ଥିବା ପୋଖରିରୁ ବିକିକୁ ଉଦ୍ଧାର କରିପାରିନଥିଲେ । ଖବରପାଇ ବିକିର ମା’ ଡଲି ଜେନା ପୋଖରିରେ ପହଞ୍ଚି ବିକିକୁ ବଞ୍ଚାଇବାକୁ ଚେଷ୍ଟା କରୁ କରୁ ସେ ମଧ୍ୟ ବୁଡି ଯାଉଥିଲେ ।

ଗ୍ରାମବାସୀ ପୋଖରିରୁ ଡଲିଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ବିକିକୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଠାକୁରମୁଣ୍ଡା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ୭/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି ।

ବିକିର ମୃତ୍ୟୁରେ ନିହାଣଗଣ୍ଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଦିନ ମଜୁରିଆ ଭାବେ କାମ କରୁଥିବା ରବିନ୍ଦ୍ର ପ୍ରାୟ ଏକ ମାସ ତଳେ ନିଜର ବଡ଼ ଝିଅକୁ ବାହା କରାଇଥିଲେ । ପୁଅ ବିକିର ଅକାଳ ବିୟୋଗରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ମା’ ଡଲି ପୁଅକୁ ଝୁରି ହେଉଛନ୍ତି । ରବିନ୍ଦ୍ର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking