କଟକ: କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରେ ହୋଇଥିବା ନାବାଳିକା ବଳତ୍କାର ମାମଲାରେ କଟକର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋକ୍ସୋ କୋର୍ଟ ଆସାମୀ ଜିତୁ ଓରଫ ରଜନୀ ନାୟକକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ରାକେଶକୁ ୧୬ ହଜାର ଟଙ୍କାର ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ତାକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କହିଛନ୍ତି । ସାକ୍ଷୀ ଓ ତଥ୍ୟପ୍ରମାଣକୁ ଭିତ୍ତି କରି ଅଦାଲତ ଆସାମୀକୁ ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି । କାନପୁର ଥାନା ଅନ୍ତର୍ଗତ ବାଶେଳୀସାହିର ଜିତୁ ଗୋପପୁରସ୍ଥିତ ତାଙ୍କ ପିଉସୀ ଘରକୁ ଆସି ନାବାଳିକାକଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲା ।
ତେବେ ଗତ ୨୦୧୪ ମସିହା ଫେବୃଆରୀ ୨୦ ତାରିଖ ରାତି ଆଠଟାରେ ପିଉସୀଙ୍କ ବାଡିକୁ ଡକାଇ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସେ ତାଙ୍କ ଅନିଚ୍ଛାରେ ବଳାତ୍କାର କରିଥିଲେ । ତେବେ ଦୁହିଁଙ୍କ ଏକାନ୍ତ ମୁହୁର୍ତ୍ତର କାର୍ଯ୍ୟକୁ ନାବାଳିକାଙ୍କ ଜଣେ ସମ୍ପର୍କୀୟ ଭଉଣୀ ଦେଖି ତାଙ୍କ ମାଆଙ୍କୁ ଜଣାଇ ଦେଇଥିଲେ । ଏହାପରେ ପରିବାର ସହିତ ପୀଡିତା କାନପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ପୁଲିସ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ପେବୃଆରୀ ୨୨ ତାରିଖରେ ଜିତୁକୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ୨୦୧୪ ଜୁନ୍ ମାସରେ ପୁଲିସ କୋର୍ଟରେ ଆସାମୀ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ଅଦାଲତ ଏହି ମାମଲାର ବିଚାର ଶେଷ କରି ଗତ ୧୯ ତାରିଖରେ ରାୟ ସଂରକ୍ଷିତ ରଖବଥିଲା ବେଳେ ଏହି ରାୟ ଆଜି ପ୍ରକାଶ ପାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ ।