26.1 C
Bhubaneswar
Wednesday, January 15, 2025
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩ଏକ୍‌ଜିଟ୍ ପୋଲ୍ ରିପୋର୍ଟ; କର୍ଣ୍ଣାଟକରେ ଝୁଲା ବିଧାନସଭା!

ଏକ୍‌ଜିଟ୍ ପୋଲ୍ ରିପୋର୍ଟ; କର୍ଣ୍ଣାଟକରେ ଝୁଲା ବିଧାନସଭା!

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ୨୨୪ ଆସନ ପାଇଁ ବୁଧବାର ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ ଏବଂ ସଂସ୍ଥା ପକ୍ଷରୁ ସମ୍ଭାବ୍ୟ ସରକାର ଗଠନ ନେଇ ଏକ୍‌ଜିଟ୍ ପୋଲ୍ (ବୁଥ୍ ଫେରନ୍ତା ମତାମତ) କରାଯାଇଛି । ତଦନୁଯାୟୀ କର୍ଣ୍ଣାଟକରେ ଏଥର ଝୁଲା ବିଧାନସଭା ସମ୍ଭାବନା ଉଜ୍ଜ୍ୱଳ ଜଣାପଡୁଛି । କ୍ଷମତାସୀନ ବିଜେପି କିମ୍ବା ମୁଖ୍ୟ ବିରୋଧୀ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବା ନେଇ ଶଙ୍କା ଉପୁଜିଛି । ଏକାଧିକ ଚ୍ୟାନେଲ/ସଂସ୍ଥା ରିପୋର୍ଟ ଅନୁଯାୟୀ ବିଜେପି ତୁଳନାରେ କଂଗ୍ରେସ ସାମାନ୍ୟ ଆଗୁଆ ରହିବ । ସରକାର ଗଠନ ପାଇଁ କୌଣସି ଦଳ କିମ୍ବା ମେଣ୍ଟକୁ ଅତିକମରେ ୧୧୩ଟି ଆସନର ଆବଶ୍ୟକତା ରହିଛି । କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳୁନଥିବାବେଳେ ପୂର୍ବତନ ମୁ୍‌ଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍ ନିର୍ଣ୍ଣାୟକ (କିଙ୍ଗ୍‌ମେକର) ଭୂମିକା ତୁଲାଇପାରେ ବୋଲି ଆଶା କରାଯାଉଛି ।

ଏକ୍‌ଜିଟ୍ ପୋଲ୍‌ରେ ଭାଗନେଇଥିବା ରିପବ୍ଲିକ୍ ଟିଭି, ପୋଲଷ୍ଟ୍ରାଟ୍‌, ଟାଇମ୍‌ସ ନାଓ, ଜି ନ୍ୟୁଜ୍‌, ଏବିପି-ସି ଭୋଟର ଓ ପି-ମାର୍କ କଂଗ୍ରେସ ଆଗୁଆ ରହିବ ବୋଲି ଦର୍ଶାଇଥିବାବେଳେ ଜନ୍ କୀ ବାତ୍ ଓ ନ୍ୟୁଜ୍ ନେସନ ବିଜେପିକୁ ଆଗୁଆ ଦର୍ଶାଇଛନ୍ତି । ରିପବ୍ଲିକ୍ ଟିଭି ଆକଳନ ଅନୁଯାୟୀ କଂଗ୍ରେସ ୯୪-୧୦୮ ଆସନ ପାଉଥିବାବେଳେ ବିଜେପିକୁ ୮୫-୧୦୦ ଏବଂ ଜେଡିଏସ୍‌କୁ ୨୪-୩୨ଟି ଆସନ ମିଳିବ । ପୋଲଷ୍ଟ୍ରାଟ୍ ରିପୋର୍ଟରେ କଂଗ୍ରେସକୁ ୯୯-୧୦୯ ଆସନ ମିଳୁଥିବାବେଳେ ବିଜେପିକୁ ୮୮-୯୮ ଏବଂ ଜେଡିଏସ୍‌କୁୁ ୨୧-୨୬ଟି ଆସନ ମିଳିବାର ସମ୍ଭାବନା ରହିଛି । ଟାଇମ୍‌ସ ନାଓ କଂଗ୍ରେସକୁ ୧୧୩, ବିଜେପିକୁ ୮୫ ଓ ଜେଡିଏସ୍‌କୁ ୨୩ ଆସନ ମିଳିବ ବୋଲି କହିଥିବାବେଳେ ଜି ନ୍ୟୁଜ୍ ରିପୋର୍ଟରେ କଂଗ୍ରେସକୁ ୧୦୩-୧୧୮, ବିଜେପିକୁ ୭୯-୯୪ ଏବଂ ଜେଡିଏସ୍ ଭାଗରେ ୨୫-୩୩ଟି ଆସନ ଦର୍ଶାଯାଇଛି ।

ଏବିପି-ସି ଭୋଟର ତାହାର ରିପୋର୍ଟରେ କଂଗ୍ରେସକୁ ୧୦୬ଟି ଆସନ ମିଳିବ ବୋଲି ଭବିଷ୍ୟବାଣୀ କରିଥିବାବେଳେ ବିଜେପିକୁ ୮୯ ଓ ଜେଡିଏସ୍‌କୁ ୨୧ଟି ଆସନରେ ସୀମିତ ରଖିଛି । ପି-ମାର୍କ ସର୍ଭେ ଅନୁଯାୟୀ କଂଗ୍ରେସ ୧୦୧ ଆସନରେ ବିଜୟୀ ହେବାକୁ ଯାଉଥିବାବେଳେ ବିଜେପି ୯୨ ଓ ଜେଡିଏସ୍ ୨୮ ଆସନ ଅକ୍ତିଆର କରିବ ବୋଲି କୁହାଯାଇଛି । ଅପରପକ୍ଷରେ ଜନ୍ କୀ ବାତ୍ ତାହାର ରିପୋର୍ଟରେ ବିଜେପିକୁ ୯୪-୧୧୭ ଆସନ ଦର୍ଶାଇଥିବାବେଳେ କଂଗ୍ରେସ ୯୧-୧୦୬ ଏବଂ ଜେଡିଏସ୍ ୧୪-୨୪ ଆସନ ହାତେଇବାର ସୂଚନା ଦେଇଛି । ନ୍ୟୁଜ୍ ନେସନ ରିପୋର୍ଟରେ ବିଜେପି ଭାଗରେ ୧୧୪ ଆସନ ପଡୁଥିବାବେଳେ କଂଗ୍ରେସକୁ ୮୬ ଓ ଜେଡିଏସ୍ ୨୧ ଆସନ ହାତେଇବ । କେବଳ ଟାଇମ୍‌ସ ନାଓ କଂଗ୍ରେସକୁ ଏବଂ ଜନ୍ କୀ ବାତ୍ ଓ ନ୍ୟୁଜ୍ ନେସନ ବିଜେପି ସପକ୍ଷରେ ସରକାର ଗଠନର ସମ୍ଭାବନା ଦର୍ଶାଇଛନ୍ତି । ତେବେ ଏକ୍‌ଜିଟ୍ ପୋଲ୍ ସବୁବେଳେ ସତ ହେବ ବୋଲି କୌଣସି ଗ୍ୟାରେଣ୍ଟି ନଥାଏ ।

୬୯% ମତଦାନ
ବୁଧବାର କର୍ଣ୍ଣାଟକ ବିଧାନସଭାର ୨୨୪ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଛି । ସନ୍ଧ୍ୟା ୬ଟା ସୁଦ୍ଧା ଏହା ୬୯ ପ୍ରତିଶତ ହୋଇଥିବା ଜଣାପଡିଛି । ନିର୍ବାଚନ କମିଶନଙ୍କ ତରଫରୁ ମତଦାନ ସମ୍ପର୍କରେ ଚୂଡାନ୍ତ ରିପୋର୍ଟ ହସ୍ତଗତ ହୋଇନଥିବାବେଳେ ଏହା ବୃଦ୍ଧି ପାଇପାରେ ବୋଲି କୁହାଯାଇଛି । ୫୮,୫୪୫ ବୁଥ୍‌ରେ ମତଦାନର ବ୍ୟବସ୍ଥା କରାଯାଇଥିବାବେଳେ ମୋଟ ୫,୩୧,୩୩,୦୫୪ ଜଣ ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ୨,୬୭,୨୮,୦୫୩ ଜଣ ପୁରୁଷ, ୨,୬୪,୦୦,୦୭୪ ମହିଳା ଏବଂ ୪୯୨୭ ତୃତୀୟ ଲିଙ୍ଗୀ ଭୋଟର ସାମିଲ ଅଛନ୍ତି । ଅପରପକ୍ଷରେ ଏଥର ଯୁବ ଭୋଟରଙ୍କ ସଂଖ୍ୟା ୧୧,୭୧,୫୫୮ ଥିବାବେଳେ ୫,୭୧,୨୮୧ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମତଦାନ ପ୍ରକ୍ରିୟାରେ ୪ ଲକ୍ଷ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking