ନୂଆଦିଲ୍ଲୀ : ଗତ ୨୩ ତାରିଖଠାରୁ ଏଠକାର ଜନ୍ତର ମନ୍ତରଠାରେ ଦେଶର ଏକାଧିକ ତାରକା ରେସଲର୍ ଆନ୍ଦୋଳନକୁ ପୁଣିଥରେ ଜାରି ରଖିଥିବା ବେଳେ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରିଜ୍ ଭୂଷଣ ଶରନ୍ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ୩ ଜଣ ରେସଲର୍ ସୁପ୍ରିମ୍କୋର୍ଟରେ ପହଞ୍ଚିଥିଲେ । ଏହି ମାମଲାର ଶୁଣାଣି କରି ପୂର୍ବରୁ ସୁପ୍ରିମ୍କୋର୍ଟ ପୁଲିସ୍କୁ ମାମଲା ରୁଜୁ କରିବା ସହ ସଂପୃକ୍ତ ରେସଲରମାନଙ୍କୁ ସୁରକ୍ଷା ଯୋଗାଇଦେବା ସକାଶେ ନିର୍ଦ୍ଦେଶ ଦେଇଥିଲେ । ଗୁରୁବାର ଏହି ମାମଲାର ଶୁଣାଣି ଶେଷ ହୋଇଛି । ଦିଲ୍ଲୀର କନ୍ନଟ୍ ପ୍ଲେସ୍ ପୁଲିସ୍ ଥାନା ପକ୍ଷରୁ ଏହି ଘଟଣାରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ୭ ଜଣ ପୀଡ଼ିତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଇଥିବା ନିଶ୍ଚିତ ହେବା ପରେ ସୁପ୍ରିମ୍କୋର୍ଟ ମାମଲାର ଶୁଣାଣି ଶେଷ କରିଛନ୍ତି ।
ରେସଲରମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଜଣେ ଅବସରପ୍ରାପ୍ତ କିମ୍ବା କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ପାଇଁ ଦାବି ଉପସ୍ଥାପନ କରିଥିଲେ ହେଁ ସୁପ୍ରିମ୍କୋର୍ଟ ତାହାକୁ ଗ୍ରହଣ କରିନାହାନ୍ତି । ବରଂ ଏହି ମାମଲାରେ ରେସଲରମାନେ ହାଇକୋର୍ଟ କିମ୍ବା ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଆବେଦନ କରିପାରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି । ତେବେ ଏହା ସତ୍ତ୍ୱେ ବି ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀଙ୍କ ମଧ୍ୟରେ ସାମିଲ୍ ରିଓ ବ୍ରୋଞ୍ଜ୍ ପଦକ ବିଜେତା ସାକ୍ଷୀ ମଲିକ କହିଛନ୍ତି । ଏହି ମାମଲାରେ ବରିଷ୍ଠମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷରେ ବୁଧବାର ବିଳମ୍ବିତ ରାତିରେ ଆନ୍ଦୋଳନସ୍ଥଳରେ ରେସଲରମାନଙ୍କ ସହ ପୁଲିସ୍ର ମୁହାଁମୁହିଁ ହୋଇଥିଲା । ଆପ୍ର ଜନୈକ ବିଧାୟକ ଆନ୍ଦୋଳନକାରୀମାନଙ୍କ ବିଶ୍ରାମ ପାଇଁ ଖଟ ଆଣିଥିବା ବେଳେ ରେସଲରମାନେ ଏହାକୁ ଆନ୍ଦୋଳନସ୍ଥଳକୁ ନେବା ସମୟରେ ଏହାକୁ ପୁଲିସ୍ ବାରଣ କରିଥିଲା । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ପରେ ପୁଲିସ୍ ଲାଠିଚାର୍ଜ କରିବାରୁ କେତେକ ରେସଲର୍ ଆହତ ହୋଇଥିଲେ । ଏହି ଘଟଣା ପରେ ଶୁକ୍ରବାର ଆନ୍ଦୋଳନସ୍ଥଳ ପୁଲିସ୍ ଛାଉଣୀରେ ପରିଣତ ହୋଇଥିଲା । ଆନ୍ଦୋଳନସ୍ଥଳରେ ପ୍ରବେଶ ଉପରେ ରୋକ ଲଗାଯାଇଛି । ଏହାକୁ ଆନ୍ଦୋଳନକାରୀମାନେ କଡ଼ା ସମାଲୋଚନା କରିବା ସହ ପୁଲିସ୍ ସେମାନଙ୍କୁ ଆକ୍ରମଣ କରିବା ପରିତାପର ବିଷୟ ବୋଲି କହିଛନ୍ତି । ସେହିପରି ପୁଲିସ୍ର ଅମାନୁଷିକ ଆକ୍ରମଣ ପରେ ରେସଲରମାନେ ସେମାନଙ୍କ ପଦକ ସରକାର ପ୍ରତ୍ୟାହାର କରିନିଅନ୍ତୁ ବୋଲି ନିବେଦନ କରିଛନ୍ତି । ଦେଶ ପାଇଁ ପଦକ ଜିତି ଗୌରବ ଅର୍ଜନ କରିଥିଲେ ହେଁ ଦିଲ୍ଲୀ ପୁଲିସ୍ ସେମାନଙ୍କୁ ଅପରାଧୀ ପରି ଆଚରଣ କରିଥିବାରୁ ଏନେଇ ଦେଶବାସୀ ଏକାଠି ହେବାକୁ ଆନ୍ଦୋଳନରତ ରେସଲରମାନେ ଆହ୍ୱାନ ଦେଇଛନ୍ତି ।