ଇମ୍ଫାଲ୍ : ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ବୁଧବାରଠାରୁ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ଜାତିଗତ ହିଂସାର ସୂତ୍ରପାତ ଘଟିଛି। ଏହି ପରିପ୍ରେକ୍ଷୀରେ ଗଣ୍ଡଗୋଳକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ରାଜ୍ୟ ସରକାର ଆଦେଶ ଦେଇଛନ୍ତି । ହିଂସାରେ କେହି ମୃତାହତ ହୋଇଥିବା ସୂଚନା ମିଳିନଥିବାବେଳେ ଗଣ୍ଡଗୋଳକାରୀମାନେ ଶତାଧିକ ଦୋକାନ ଓ ବାସଗୃହ ପୋଡିଦେଇଛନ୍ତି । ହିଂସା ପ୍ରଭାବିତ ଏକାଧିକ ଜିଲ୍ଲାରେ ସାନ୍ଧ୍ୟଆଇନ (କର୍ଫ୍ୟୁ) ଜାରି କରାଯାଇଥିବାବେଳେ ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ଇଣ୍ଟର୍ନେଟ୍ ସେବାକୁ ବାତିଲ ବନ୍ଦ କରାଯାଇଛି । ଇମ୍ଫାଲ ୱେଷ୍ଟ, କାକ୍ଚିଙ୍ଗ୍, କାଙ୍ଗ୍ପୋକ୍ପି, ଥୌବାଲ, ଜିରିବାମ୍, ବିଷ୍ଣୁପୁର, ଚୁରାଚାନ୍ଦପୁର ଓ ତେଙ୍ଗ୍ନୌପାଲ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି ।
ହିଂସାଗ୍ରସ୍ତ ଅଞ୍ଚଳରେ ସେନା ଏବଂ ଆସାମ ରାଇଫଲ୍ସର ୫୫ ୟୁନିଟ୍ ମୁତୟନ କରାଯାଇଛି । ସେନା, ଆସାମ ରାଇଫଲ୍ସ, ସିଆରପିଏଫ୍ ଓ ମଣିପୁର ପୁଲିସକୁ ସହାୟତା କରିବାକୁ ର୍ୟାପିଡ୍ ଆକ୍ସନ ଫୋର୍ସର ୫୦୦ ଯବାନ ଗୁରୁବାର ଇମ୍ଫାଲରେ ପହଞ୍ଚିଛନ୍ତି । ନିରାପତ୍ତାରକ୍ଷୀମାନେ ହିଂସା ପ୍ରଭାବିତ ଅଞ୍ଚଳରୁୁ ପ୍ରାୟ ୯ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଗୁରୁବାର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହଙ୍କୁ ଫୋନ୍ କରି ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି । ଏହା ପୂର୍ବରୁ ଆଜି ସକାଳେ ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ ଏକ ଭିଡିଓ ବାର୍ତ୍ତା ଜାରିକରି ଲୋକଙ୍କୁ ଶାନ୍ତି ବଜାୟ ରଖିବା ନିମନ୍ତେ ନିବେଦନ କରିଥିଲେ ।
ସୂଚନାଯୋଗ୍ୟ, ଅଣଆଦିବାସୀ ମେଇତି ସଂପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ କରିବାକୁ ମଣିପୁର ହାଇକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ସୁପାରିସ ଦେଇଥିଲେ । ହାଇକୋର୍ଟଙ୍କ ଏହି ରାୟ ନାଗା ଓ କୁକି ସଂପ୍ରଦାୟ ଆଦିବାସୀଙ୍କୁ କ୍ଷୁବ୍ଧ କରିଛି । ମଣିପୁର ଜନସଂଖ୍ୟାର ୬୪ ପ୍ରତିଶତ ହେଉଛନ୍ତି ମେଇତି ସଂପ୍ରଦାୟର । ତେବେ ଅଣ ଆଦିବାସୀଙ୍କୁ ଜମି କିଣିବାର ଅଧିକାର ମିଳିନଥିବାରୁ ମେଇତି ସଂପ୍ରଦାୟ କେବଳ ୧୦ ପ୍ରତିଶତ ଜମିର ମାଲିକାନା ସ୍ୱତ୍ୱ ହାସଲ କରିଛନ୍ତି । ହାଇକୋର୍ଟଙ୍କ ଏହି ଆଦେଶ ପରେ ବୁଧବାର ଆଦିବାସୀ ଓ ଅଣ-ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ବୁଧବାର ଅଲ୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ ୟୁନିୟନ୍ ମଣିପୁର ରାଜ୍ୟରେ ଟ୍ରାଇବାଲ୍ ସଲିଡାରିଟି ମାର୍ଚ୍ଚର ଡାକରା ଦେଇଥିଲା । ଏହି ଅବସରରେ ଆଦିବାସୀ ଓ ଅଣ-ଆଦିବାସୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବା ନିମନ୍ତେ ପୁଲିସ ପକ୍ଷରୁ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇନଥିଲା ।