ଭୋପାଳ: ନିଜ ପାଟିରେ ବୋମା ଫୁଟାଇ ଜୀବନ ହାରିଲେ ଛାତ୍ର । ମଧ୍ୟପ୍ରଦେଶ ଶୋପୁର ଜିଲ୍ଲାରେ ଅଭାବନୀୟ ଘଟଣା । ଛାତ୍ର ଜଣଙ୍କ ହେଉଛନ୍ତି ୨୪ ବର୍ଷୀୟ ବ୍ରୁଜେଶ ଓରଫ ଗୋଲୁ । ବ୍ରୁଜେଶ ସହରରେ ପାଠ ପଢ଼ିବା ପାଇଁ ଚାହୁଁଥିଲେ । ହେଲେ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ କଲେଜରେ ନାମ ଲେଖାଇ ପାରିଲେ ନାହିଁ। ମାନସିକ ଚାପରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨୪ ବର୍ଷୀୟ ଗୋଲୁ ବିଏସସି ଶେଷ ବର୍ଷର ଛାତ୍ର ଥିଲେ । ରବିବାର ଅପରାହ୍ନରେ ଗୋଲୁଙ୍କ ଘରୁ ବୋମା ଶବ୍ଦ ଶୁଭିଥିଲା । ବୋମାର ଶବ୍ଦ ଏତେ ଜୋରରେ ଶୁଭିଥିଲା ଯେ, ଆଖପାଖ ଅଞ୍ଚଳର ଲୋକେ ଏକାଠି ହୋଇଯାଇଥିଲେ । ଘରର ଶୌଚାଳୟରୁ ଏହି ଶବ୍ଦ ଶୁଭିଥିଲା । କିନ୍ତୁ ଭିତର ପଟୁ ଘରର କବାଟ ବନ୍ଦ ଥିଲା । କବାଟ ଖୋଲିବା ପରେ ରକ୍ତାକ୍ତ ଅବସ୍ଥାରେ ଗୋଲୁ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଡାକ୍ତର ସେଠାରେ ଗୋଲୁଙ୍କୁ ମୃତ ଘୋଷଣା କରିଥିଲେ ।
ସ୍ଥାନୀୟ ପୋଡ଼ୋଶୀଙ୍କ କହିବା ଅନୁଯାୟୀ, ଗୋଲୁ ଜଣେ ଭଲ ଛାତ୍ର ଥିଲେ । ଦୁଇ ଭାଇ ବହୁତ ଭଲ ପାଠ ପଢୁଥିଲେ । ବିନା କୋଚିଂରେ ସେ ଅଧ୍ୟୟନ କରୁଥିଲେ । ତଥାପି ସ୍କୁଲ ଏବଂ କଲେଜରେ ସର୍ବୋଚ୍ଚ ମାର୍କ ରଖି ସଫଳତା ପାଉଥିଲେ । ଗତ କିଛି ଦିନ ହେବ ଗୋଲୁ ମାନସିକ ଚାପରେ ରହୁଥିଲ । ବଡ଼ ସହରରେ ଯାଇ ବଡ଼ କଲେଜରେ ପାଠ ପଢ଼ିବାକୁ ତାଙ୍କର ଇଚ୍ଛା ଥିଲା । ହେଲେ ଘରର ଆର୍ଥିକ ସ୍ଥିତି ସେତେଟା ସ୍ବଚ୍ଛଳ ନଥିଲା । କିଛି ଦିନରୁ ଗୋଲୁଙ୍କ ଆଚରଣରେ ପରିବର୍ତ୍ତନ ଆସିଥିଲା । କାହା ସହ କଥାବର୍ତ୍ତା କରୁନଥିଲେ ଏବଂ ହଠାତ ନିଜ ଜୀବନ ହାରିଦେଲେ । ଶୋପୁର ଜିଲ୍ଲା ଡାକ୍ତରଖାନାର ସର୍ଜନ କହିଛନ୍ତି ଯେ, ପାଟିରେ ଯୁଗ୍ମ ବୋମା ଫାଟିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ପାଟିରେ ଦୁଇଟି ବୋମା ଫାଟିବା ଚିହ୍ନ ବ୍ୟବଚ୍ଛେଦ ରିପୋର୍ଟରେ ଜଣା ପଡ଼ିଛି । ବୋମା ଫାଟିବା ଯୋଗୁଁ ପାଟି, ନାକ, ଗଳା ଏବଂ ଏହାର ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ କୋତବାଲି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।