ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ୍ ଖାନ୍ଙ୍କୁ ଆଉ ଏକ ହତ୍ୟା ଧମକ ମିଳିଛି । ଏହି ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ନାବାଳକକୁ ଗିରଫ କରିଛି । ଏବେ ତାକୁ ପଚରା ଉଚରା କରାଯାଉଛି । ଅଭିଯୁକ୍ତ ସୋମବାର ରାତି ୯ଟା ବେଳେ ପୁଲିସ କଣ୍ଟ୍ରୋଲ୍କୁ ଫୋନ୍କରି ୩୦ ତାରିଖ ଦିନ ସଲ୍ମାନ୍ଙ୍କୁ ହତ୍ୟା କରିବ ବୋଲି କହିଥିଲା । ଫୋନ୍ କରିଥିବା ନାବାଳକ ନିଜକୁ ଯୋଧପୁର ଗୋରକ୍ଷକ ରକି ଭାଇ ଭାବେ ପରିଚୟ ଦେଇଥିଲା । ସୂଚନାଯୋଗ୍ୟ ଗତ ମାସରେ ସଲ୍ମାନ୍ଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ପୁଲିସ ତାଙ୍କର ସୁରକ୍ଷା ବୃଦ୍ଧି କରିଥିଲା । ଏ ନେଇ ପୁଲିସ ଗ୍ୟାଙ୍ଗ୍ଷ୍ଟର୍ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାର୍ ସମେତ ରୋହିତ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲା । ସଲ୍ମାନ୍ଙ୍କୁ ପୁଲିସ ପକ୍ଷରୁ ପୂର୍ବରୁ ‘ୱାଇ ପ୍ଲସ୍’ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ଇ-ମେଲ୍ ଧମକ ମିଳିବା ପରେ ସେ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ସହିତ ବୁଲେଟ୍ ପ୍ରୁଫ୍ କାର୍ରେ ଯାତ୍ରା କରୁଛନ୍ତି ।