ଅନୁଗୁଳ: ବନ୍ତଳା ଥାନା ଅନ୍ତର୍ଗତ ସୁନାଭୁଇଁ ଗାଁରେ ବୁଧବାର ସକାଳେ ହାତୀ ଆକ୍ରମଣରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁହୋଇଛି । ଗାଁର ଦିବାକର ସାହୁ(୬୯) ସକାଳେ ଘର ନିକଟରେ ଥିବା ଜମିକୁ ଯାଇଥିଲେ । ସେଠାରେ ହାତୀପଲ ଥିବା ସେ ଜାଣି ପାରି ନ ଥିଲେ । ଜମି ପାଖରେ ଠିଆ ହୋଇଥିବାବେଳେ ଏକ ହାତୀ ପଛରୁ ଆସି ଶୁଣ୍ଢରେ ତାଙ୍କୁ ବାଡ଼େଇ ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ଦିବାକରଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ବନବିଭାଗ ଅଧିକାରୀଙ୍କ ଖାମ୍ଖିଆଲ ନୀତି ପାଇଁ ଲୋକଙ୍କ ଜୀବନ ଯାଉଛି ବୋଲି ଲୋକମାନେ କହିବା ସହ ବନ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପରେ ପୁଲିସ ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ ପ୍ରତିଶ୍ରୁତି ଦେବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା । ଅପରାହ୍ଣରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।