ସାଲେପୁର: ଜଣେ ନାବାଳିକା ଫୁଲ ତୋଳି ନିଜ ଘରର ଛାତ ଉପରକୁ ରଖିବାକୁ ଯାଇଥିବାବେଳେ ଜନୈକ ଯୁବକ ଛାତ ଉପରେ ପହଞ୍ôଚ ସଂପୃକ୍ତ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏଥିସହ ଘଟଣା ସଂପର୍କରେ ଯଦି କାହା ଆଗରେ ପ୍ରକାଶ କରୁ, ତୋ ପରିବାରର ସମସ୍ତ ସଦସ୍ୟଙ୍କୁ ବୋମା ପକାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ନାବାଳିକାର ପିତା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ସାଲେପୁର ପୁଲିସ ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖିବା ସହ ଉଭୟଙ୍କ ଡାକ୍ତରୀ ମାଇନା କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୨୮ତାରିଖ ସକାଳୁ ସାଲେପୁର ଥାନା ଅଞ୍ଚଳର ଜଣେ ୧୨ବର୍ଷର ନାବାଳିକା ନିଜ ଘର ନିକଟରେ ଥିବା ଫୁଲଗଛରୁ ଫୁଲ ତୋଳୁଥିବାବେଳେ ଉକ୍ତ ଅଞ୍ଚଳର ପ୍ରତାପ ସ୍ୱାଇଁଙ୍କ ପୁଅ ଅଜୟ କୁମାର ସ୍ୱାଇଁ(୨୨) ସେଠାରେ ପହଞ୍ôଚ ନାବାଳିକାକୁ ଅଶ୍ଳୀଳ ଇଙ୍ଗୀତ କରିଥିଲା ।
ନାବାଳିକା ଜଣକ ନିଜ ଘର ଛାତ ଉପରେ ଫୁଲ ରଖିବାକୁ ଯାଇଥିବାବେଳେ ଅଜୟ ପଛେ ପଛେ ଯାଇ ଛାତ ଉପରେ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରି ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହ ସେଠାରୁ କୌଶଳକ୍ରମେ ଖସି ପଳାଇଯାଇଥିଲା । ଘର ନିକଟରେ ଏକ ଧାର୍ମିକ କାର୍ଯ୍ୟ ଚାଲିଥିବାବେଳେ ମାଇକ୍ ଶବ୍ଦରେ ନାବାଳିକାର ଚିତ୍କାର କେହି ଶୁଣି ପାରିନଥିଲେ । ନାବାଳିକା ଜଣକ ଘଟଣା ସଂପର୍କରେ ନିଜ ମା’କୁ କହିବାପରେ ନାବାଳିକାର ବାପା ଓ ଗ୍ରାମର ଅନ୍ୟ ୨/୩ଜଣ ଘଟଣା ସଂପର୍କରେ ସଂପୃକ୍ତ ଯୁବକକୁ ପଚାରିବାରେ ଯୁବକ ଜଣକ ସେମାନଙ୍କୁ ବୋମା ପକାଇ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା । ଏ ନେଇ ନାବାଳିକାର ବାପା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।