ହାଇଦ୍ରାବାଦ: ଆସନ୍ତା ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ର ଷୋଡ଼ଶ ସଂସ୍କରଣରେ ସନ୍ରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେବେ ସାଉଥ୍ ଆଫ୍ରିକାର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଆଇଡେନ୍ ମାର୍କରାମ୍ । ଏନେଇ ଗୁରୁବାର ଫ୍ରାଞ୍ଚାଇଜି ପକ୍ଷରୁ ଟ୍ୱିଟର୍ ମାଧ୍ୟମରେ ଉପରୋକ୍ତ ସୂଚନା ଦିଆଯାଇଛି । ଗତ ବର୍ଷ ଶେଷ ଭାଗରେ ସନ୍ରାଇଜର୍ସ ପକ୍ଷରୁ ନ୍ୟୁଜିଲାଣ୍ଡ୍ର ତାରକା ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ଙ୍କୁ ରିଲିଜ୍ କରାଯିବା ପରେ ମାର୍କରାମ୍ଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ୱିଲିୟମ୍ସନ୍ଙ୍କୁ ଅକ୍ସନ୍ରେ ଖରିଦ୍ କରିବାରେ ୨୦୨୨ ସିଜନ୍ର ଚାମ୍ପିଅନ୍ ଗୁଜରାଟ ଟାଇଟାନ୍ସ ସକ୍ଷମ ହୋଇସାରିଛି ।
ନିକଟରେ ସାଉଥ୍ ଆଫ୍ରିକାରେ ଶେଷ ହୋଇଥିବା ଏସ୍ଏ୨୦ ଟୁର୍ଣ୍ଣାମେଣ୍ଟ୍ର ପ୍ରଥମ ସଂସ୍କରଣରେ ୨୮ ବର୍ଷୀୟ ମାର୍କରାମ୍ ସନ୍ରାଇଜର୍ସ ଇଷ୍ଟର୍ଣ୍ଣ କେପ୍ ଟିମ୍କୁ ଚାମ୍ପିଅନ୍ କରାଇବା ପରେ ତାଙ୍କ ଉପରେ ଆଇପିଏଲ୍ ଫ୍ରାଞ୍ଚାଇଜି ଅଧିକ ଭରସା ବ୍ୟକ୍ତ କରିଛି । ଉକ୍ତ ଟୁର୍ଣ୍ଣାମେଣ୍ଟ୍ରେ ମାର୍କରାମ୍ ଉଭୟ ବ୍ୟାଟ୍ ଆଉ ବଲ୍ରେ ମଧ୍ୟ ଚମତ୍କାରିତା ଦେଖାଇଥିଲେ । ଅଧିକନ୍ତୁ ସେ ୩୬୫ ରନ୍ କରିବା ସହ ୧୧ଟି ୱିକେଟ୍ ନେଇ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ।
ସେହିପରି ଆଇପିଏଲ୍ର ଗତ ପଞ୍ଚଦଶ ସଂସ୍କରଣରେ ମାର୍କରାମ୍ ୩ଟି ଅର୍ଦ୍ଧଶତକ ସହ ମୋଟ ୩୮୧ ରନ୍ କରିଥିଲେ । ସେହିପରି ଅଷ୍ଟ୍ରେଲୀୟ ଓପନର ଡେଭିଡ୍ ୱାର୍ଣ୍ଣର୍ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏନେଇ କ୍ୟାପିଟାଲ୍ସ ପକ୍ଷରୁ ସୂଚନା ଦିଆଯିବା ସହ ଅଲ୍ରାଉଣ୍ଡର୍ ଅକ୍ଷର ପଟେଲ୍ ଦଳର ଉପଅଧିନାୟକ ରହିବେ ବୋଲି କୁହାଯାଇଛି ।