ନୂଆଦିଲ୍ଲୀ : ଜଜ୍ ନିଯୁକ୍ତିକୁ ନେଇ ଜାରି ବିବାଦ ମଧ୍ୟରେ ସୁପ୍ରିମ୍କୋର୍ଟରେ ଆଉ ଜଣେ ଜଜ୍ଙ୍କ ନିଯୁକ୍ତି ହୋଇଛି । ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତଙ୍କୁ ପଦୋନ୍ନତି ଦିଆଯାଇ ସୁପ୍ରିମ୍କୋର୍ଟ ଜଜ୍ ଭାବେ ନିଯୁକ୍ତ କରାଯାଇଛି । ନୂଆ ଜଜ୍ଙ୍କ ନିଯୁକ୍ତି ଉପରେ ରାଷ୍ଟ୍ରପତି ମୋହର ଲଗାଇଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିଫିକେସନ୍ ଜାରି କରାଯାଇଛି । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ଟ୍ୱିଟ୍କରି ଜଷ୍ଟିସ୍ ଦତ୍ତଙ୍କୁ ନୂଆ ନିଯୁକ୍ତି ପାଇଁ ବଧେଇ ଜଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ୍ ଦତ୍ତ ସୋମବାର ଶପଥ ନେଇପାରନ୍ତି । ପୂର୍ବତନ ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୨୬ ତାରିଖରେ ଅନୁଷ୍ଠିତ କଲେଜିଏମ୍ ମିଟିଂରେ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ନାମ ସୁପାରିସ କରିଥିଲେ । ପାୟ ଅଢ଼େଇମାସ ପରେ କେନ୍ଦ୍ର ସରକାର ଏହାକୁ ମଞ୍ଜୁରୀ ଦେଇଛନ୍ତି ।
ତାଙ୍କ ପିତା ମଧ୍ୟ କୋଲ୍କାତା ହାଇକୋର୍ଟର ଜଜ୍ ଥିଲେ ଏବଂ ସୁପ୍ରିମ୍କୋର୍ଟର ପୂର୍ବତନ ଜଜ୍ ଜଷ୍ଟିସ୍ ଅମିତାଭ ରାୟ ମଧ୍ୟ ତାଙ୍କ ନିକଟସମ୍ପର୍କୀୟ । ସୁପ୍ରିମ୍କୋର୍ଟରେ ମୋଟ ଜଜ୍ଙ୍କ ସଂଖ୍ୟା ୩୪ ହୋଇଥିବା ବେଳେ ଜଷ୍ଟିସ୍ ଦତ୍ତଙ୍କ ନିଯୁକ୍ତି ପରେ ଏବେ ସୁପ୍ରିମ୍କୋର୍ଟ ଜଜ୍ଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ଛଅଜଣ ଜଜ୍ ଆସନ୍ତା ୮ ମାସ ମଧ୍ୟରେ ଅବସର ନେବେ । ୧୯୬୫ ଫେବୃଆରୀରେ ଜନ୍ମିତ ଜଷ୍ଟିସ୍ ଦତ୍ତଙ୍କ ପିତା ସ୍ୱର୍ଗତ ଜଷ୍ଟିସ୍ ସଲିଲ୍ କୁମାର ଦତ୍ତ କଲିକତା ହାଇକୋର୍ଟର ପୂର୍ବତନ ଜଜ୍ ଥିଲେ । ସେହିପରି ସୁପ୍ରିମ୍କୋର୍ଟର ପୂର୍ବତନ ଜଜ୍ ଜଷ୍ଟିସ୍ ଅମିତାଭ ରାୟ ତାଙ୍କର ନିକଟ ସମ୍ପର୍କୀୟ ।
୧୯୮୯ରେ କଲିକତା ବିଶ୍ୱବିଦ୍ୟାଳୟରୁ ଏଲ୍ଏଲ୍ବି ଡିଗ୍ରୀ ହାସଲ କରିବା ପରେ ସେ ୧୯୮୯ ନଭେମ୍ବର ୧୬ରେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୦୨ ମେରୁ ୨୦୦୪ ଜାନୁଆର ୧୬ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଜୁନିୟର୍ ଷ୍ଟାଣ୍ଡିଂ କାଉନ୍ସିଲ୍ ଥିଲେ । ୨୦୦୬ ଜୁନ୍ ୨୨ରୁ କଲିକତା ହାଇକୋର୍ଟ ଜଜ୍ ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ଦତ୍ତଙ୍କୁ ୨୦୨୦ ଏପ୍ରିଲ୍ ୨୮ରେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିଲା ।