କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ୨୦୧୪ ମସିହାରେ ଘଟି ଯାଇଥିବା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାର ମଙ୍ଗଳବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ୫ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ସେପ୍ଟେମ୍ବର ୧୦ ତାରିଖ ଦିନ ପାଟଣା ଥାନା ଅଞ୍ଚଳରେ ଜଣେ ୪ ବର୍ଷର ନାବାଳିକା ଘର ନିକଟରେ ଖେଳୁଥିଲେ । ଦିବାକର ମୁଣ୍ଡା ନାମକ ଜଣେ ଯୁବକ ନାବାଳିକାକୁ ପ୍ରଲୋଭନ ଦେଖାଇ ନିକଟସ୍ଥ ସ୍କୁଲ ଭିତରକୁ ଡାକି ନେଇଥିଲେ ।
ସେଠାରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ବେଳେ ନାବାଳିକାର ମାଆ ଝିଅଟିକୁ ନପାଇ ଖୋଜାଖୋଜି କରି ସ୍କୁଲ ଭିତରେ ମୁଦାଲା ଏବଂ ତାଙ୍କ ଝିଅକୁ ଠାବ କରିଥିଲେ । ଏ ସମ୍ପର୍କରେ ୧୩/୯/୨୦୧୪ ରେ ପୀଡିତାର ମାଆ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଥାନାରେ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତ ଦିବାକରକୁ ପାଟଣା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୮ ଜଣ ସାକ୍ଷୀଙ୍କ ବୟାନ ଏବଂ ପ୍ରମାଣକୁ ଭିତ୍ତି କରି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡ. ଅନୀଲ କୁମାର ଦତ୍ତ ଅଭିଯୁକ୍ତ ଦିବାକରକୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା କିମ୍ବା ୬ ମାସ ଜେଲ ଦଣ୍ଡ ସହ ପୀଡିତାଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି ।