ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଜୁଣ ଛକସ୍ଥିତ ଏକ କୋଚିଂ ସେଣ୍ଟର୍ରେ ପାଠପଢ଼ୁଥିବା ଜଣେ ଛାତ୍ରଙ୍କର ମଙ୍ଗଳବାର ରାତିରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ହୋଇଛି । ସେ ହେଲେ ଦେବୀ ପ୍ରସାଦ ଦାସ (୧୭) । ଖବରପାଇ ମାର୍ଶାଘାଇ ଥାନାଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଘଟଣାସ୍ଥରେ ପହଞ୍ଚିଥିଲେ । ବିଦ୍ୟୁତ୍ ଆଘାତ ଲାଗିଥିବା ଛାତ୍ରଙ୍କୁ ଅଗ୍ନିଶମବାହିନୀ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରି କେନ୍ଦ୍ରାପଡ଼ା ପଠାଇବା ସହ ଚେତାଶୂନ୍ୟ ହୋଇଥିବା ଛାତ୍ରଛତ୍ରୀଙ୍କୁ ମାର୍ଶାଘାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଏଥିସହ କୋଚିଂ ସେଣ୍ଟରରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମାର୍ଶାଘାଇ କଲେଜକୁ ନିଆଯାଇ ପରେ ଘରକୁ ଯିବାର ବ୍ୟବସ୍ଥା କରିଥିଲେ। ମାର୍ଶାଘାଇ ଜୁଣ ଛକରେ ଥିବା ରୟାଲ ଗାଇଡ୍ କୋଚିଂ ସେଣ୍ଟରରେ ମାର୍ଶାଘାଇ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର କୁଞ୍ଜ ବିହାରୀ ଦାସଙ୍କ ପୁଅ ଦେବୀ ପ୍ରସାଦ ଦାସ ରହି ପାଠ ପଢୁଥିଲେ । ପିଲାମାନେ ରହୁଥିବା ଘର ନିକଟରୁ ଅଳ୍ପଦୂରରେ ୧୧ କେଭି ବିଦ୍ୟୁତ୍ ତାର ରହିଥିଲା । ଛାତ୍ର ଜଣଙ୍କ କୌଣସି କାରଣବଶତଃ ରାତିରେ ବାହାରକୁ ଆସିଥିଲେ । ବାଲକୋନୀ ପାଖ ଦେଇ ଯାଇଥିବା ୧୧ କେଭି ତାର ଦେବୀ ପ୍ରସାଦଙ୍କ ହାତରେ ଲାଗିଯିବାରୁ ସେ ଜଳିଯାଇଥିଲେ । ଏନେଇ ମୃତ ଛାତ୍ରଙ୍କ ବଡ଼ବାପା ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ । ମାର୍ଶାଘାଇ ପୁଲିସ ଏକ ମାମଲା ରୁଜୁ କରିବା ସହ କୋଚିଂ ସେଣ୍ଟର୍ ମାଲିକ ଚିତ୍ତରଞ୍ଜନ ରଥଙ୍କୁ ଗିରଫ କରିଛି ।