କଟକ : ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା । ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଉପର ଓ ତଳ ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟଜଳ ମହାନଦୀରେ ପଡ଼ୁଛି । ହିରାକୁଦରେ ନିଷ୍କାସିତ ଜଳ ମହାନଦୀରେ ବନ୍ୟା କରିବା ଆଶଙ୍କା ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ପରେ ଫୁଲିଛି ମହାନଦୀ । ହୀରାକୁଦର ଖୋଲିଲା ଆଉ ୪ ଗେଟ୍ । ମୋଟ ୨୪ଟି ଗେଟ୍ ଦେଇ ଏବେ ନିଷ୍କାସିତ ହେଉଛି ବନ୍ୟା ପାଣି ।
ବାମପାର୍ଶ୍ୱରୁ ୧୬ଟି ଗେଟ୍ ଖୋଲାଯାଇଥିବାବେଳେ ଡାହାଣ ପାର୍ଶ୍ୱରୁ ୮ଟି ଗେଟ୍ ଖୋଲାଯାଇଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୬.୭୩ ଫୁଟ୍ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୯ ହଜାର ୩୩୩ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ୩ଲକ୍ଷ ୪୮ ହଜାର ୭୬୦ କ୍ୟୁସେକ ଜଳ ନିଷ୍କାସନ ହେଉଛି। ସମସ୍ତ ଦିଗକୁ ତଦାରଖ କରୁଛି ପ୍ରଶାସନ । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ପଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
ରାଜ୍ୟରେ ଲଗାଣ ବର୍ଷା କାରଣରୁ ହୀରାକୁଦର ଜଳ ଭଣ୍ଡାର ବଢିବାରେ ଲାଗିଛି । ଫଳରେ ବର୍ତ୍ତମାନ ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଗତ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଫଳରେ ଆଜିଠାରୁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ୧୪ ଟି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।