ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୁରୁବାର ଆଥଲେଟିକ୍ସରେ ମହିଳା ସ୍ପ୍ରିଣ୍ଟର୍ ହିମା ଦାସ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ତାରକା ଧାବିକା ଜଣକ ୨୦୦ ମିଟର ମହିଳା ଦୌଡ଼ରେ ୨୩.୪୨ ସେକେଣ୍ଡ୍ ସମୟ ନେଇ ଶୀର୍ଷ ସ୍ଥାନରେ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଜାମ୍ବିଆର ରୋଡା ଏନ୍ଜୋବୁ ଓ ଉଗାଣ୍ଡାର ଜାସେଣ୍ଟ୍ ନ୍ୟାମାହୁଙ୍ଗ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ଏନ୍ଜୋବୁ ୨୩.୮୫ ସେକେଣ୍ଡ୍ ସମୟ ନେଇଥିବା ବେଳେ ନ୍ୟାମାହୁଙ୍ଗ୍ ଏହି ଦୂରତା ଅତିକ୍ରମ କରିବା ସକାଶେ ୨୩.୮୫ ସେକେଣ୍ଡ୍ ସମୟ ନେଇଥିଲେ । ୨୦୦ ମିଟରରେ ହିମାଙ୍କର ସର୍ବଶ୍ରେଷ୍ଠ ସମୟ ୨୨.୮୮ ସେକେଣ୍ଡ୍ ରହିଥିବାରୁ ଚଳିତ ପ୍ରତିଯୋଗିତାରେ ସେ ତାଙ୍କର ପ୍ରଥମ ପଦକ ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ପ୍ରଥମ ଭାରତୀୟ ଭାବେ ଆଇଏଏଏଫ୍ ୱାର୍ଲ୍ଡ ଅଣ୍ଡର୍-୨୦ ଚାମ୍ପିଅନ୍ଶିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିବାର ଗୌରବ ପାଇଥିବା ୨୨ ବର୍ଷୀୟା ହିମା ଅଦ୍ୟାବଧି ଏସିଆ ଗେମ୍ସରେ ୩ଟି ପଦକ ହାସଲ କରିସାରିଛନ୍ତି । ସେହିପରି ମଞ୍ଜୁ ବାଲା ମହିଳା ହାମର୍ ଥ୍ରୋ’ ଇଭେଣ୍ଟ୍ର ଫାଇନାଲ୍ରେ ପହଞ୍ଚିଛନ୍ତି । ୩୩ ବର୍ଷୀୟା ମଞ୍ଜୁ କ୍ୱାଲିଫିକେସନ୍ ରାଉଣ୍ଡ୍ରେ ୫୯.୬୮ ମିଟର ଦୂରତା ହାସଲ ପୂର୍ବକ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି । ତେବେ ଏହି ଇଭେଣ୍ଟ୍ରେ ଭାଗନେଇଥିବା ଅନ୍ୟତମ ଭାରତୀୟ ପ୍ରତିଯୋଗୀ ସରିତା ସିଂହ ତ୍ରୟୋଦଶ ସ୍ଥାନରେ ରହି ଅଳ୍ପକେ ଫାଇନାଲରୁ ବଞ୍ଚିତ ହୋଇଛନ୍ତି । ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପୂର୍ବକ ୫୭.୪୮ ମିଟର ଦୂରତା ହାସଲ କରିଥିଲେ । କ୍ୱାଲିଫିକେସନ୍ ରାଉଣ୍ଡ୍ରେ କାନାଡାର କାମରିନ୍ ରୋଜର୍ସ ୭୪.୬୮ ମିଟର ଦୂରତା ସହ ଶୀର୍ଷରେ ରହିଛନ୍ତି । ଏଥିସହ ରୋଜର୍ସ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂଆ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି ।
ଅନ୍ୟପକ୍ଷରେ ବକ୍ସିଂରେ ପୁରୁଷ ପ୍ରତିଯୋଗୀ ଅମିତ୍ ପାଙ୍ଘଲ ଓ ଜସମିନ୍ ସେମିଫାଇନାଲ୍ରେ ପହଞ୍ଚି ପଦକ ପକ୍କା କରିଛନ୍ତି । ଗୁରୁବାର ଅମିତ୍ ୪୮ରୁ ୫୧ କିଗ୍ରା ଫ୍ଲାଇୱେଟ୍ ବର୍ଗରେ ସ୍କଟ୍ଲାଣ୍ଡ୍ର ଲେନନ୍ ମୁଲିଗାନ୍ଙ୍କୁ ପରାସ୍ତ କରିଛନ୍ତି । ଗତ ସଂସ୍କରଣରେ ରୌପ୍ୟ ପଦକ ହାସଲ କରିଥିବା ୨୬ ବର୍ଷୀୟ ଅମିତ୍ ୫-୦ରେ ବିଜୟୀ ହୋଇଛନ୍ତି । ସେହିପରି ଜସମିନ୍ ୬୦ କିଗ୍ରା ଲାଇଟ୍ୱେଟ୍ ବର୍ଗରେ ନ୍ୟୁଜିଲାଣ୍ଡ୍ର ଟ୍ରୟ ଗାର୍ଟନ୍ଙ୍କୁ ୪-୧ ଖଣ୍ଡିତ ନିଷ୍ପତ୍ତିରେ ପରାସ୍ତ କରି ପ୍ରତିଯୋଗିତାରେ ଦେଶ ପାଇଁ ବକ୍ସିଂରେ ପଞ୍ଚମ ପଦକ ପକ୍କା କରିଛନ୍ତି । ପୂର୍ବରୁ ନିଖତ୍ ଜରିନ୍, ନୀତୁ ଗାଞ୍ଝାସ୍ ଓ ମହମ୍ମଦ ହୁସାମୁଦ୍ଦିନ୍ ସେମିଫାଇନାଲ୍ରେ ପହଞ୍ଚି ପଦକ ନିଶ୍ଚିତ କରିସାରିଛନ୍ତି ।