ବ୍ରହ୍ମପୁର: ଗୋଟିଏ ଦିନରେ ସରକାରୀ ରେଳବାଇ ପୁଲିସ(ଜିଆରପି) ପୃଥକ ସ୍ଥାନରେ ୩ ଟି ମୃତଦେହ ଜବତ କରିଛି । ଏହି ଘଟଣାକୁ ନେଇ ପୁଲିସ ୩ଟି ଅପମୃତ୍ୟୁ ମାମଲା ରୁଜୁ କରିଥିବା ପୁଲିସ୍ କହିଛି । ତିନି ଜଣ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ପରିଚୟ ମିଳିନଥିବା ପୁଲିସ କହିଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଓଳମ୍ବ ଗ୍ରାମର ଅନ୍ତର୍ଯ୍ୟାମୀ ସାବତ(୫୬) ବିହାରରେ ଅନୁଷ୍ଠିତ ହେଉଥିବା ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ । ସେ ଟ୍ରେନରେ ଚଢ଼ିବା ପୂର୍ବରୁ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ପୁଲିସ ଉଦ୍ଧାର କରି ଏମ୍କେସିଜିରେ ଭର୍ତ୍ତି କରିଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମୃତକଙ୍କ ସାନଭାଇ ମାଧବ ସାବତ ଭାଇର ମୃତଦେହ ଚିହ୍ନଟ କରିଥିଲେ ବୋଲି ପୁଲିସ କହିଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା କହିଛି । ସେହିପରି ରବିବାର ସନ୍ଧ୍ୟାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ରେଳଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ପୁଲିସ ଖବର ପାଇଥିଲା। ସେଠାରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଥିବା ବେଳେ ମୃତକଙ୍କ ପରିଚୟ ମିଳିନଥିବା ପୁଲିସ କହିଛି । ତାଙ୍କ ବୟସ ଆନୁମାନିକ ୨୫ ବର୍ଷ ହେବ ବୋଲି ପୁଲିସ ଅନୁମାନ କରିଛି । ସେହିପରି ସୋମବାର ଭୋର ହୀରାଖଣ୍ଡ ଟ୍ରେନରେ ଚଢୁଥିବା ଜଣେ ଯୁବକ ରେଳଧାରଣାରେ ଖସି ପଡ଼ିଥିଲେ । ପରେ ଟ୍ରେନ୍ ତାଙ୍କ ଉପରେ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ମୃତଦେହ ଜବତ କରିଥିବା ବେଳେ ମୃତକଙ୍କ ପରିଚୟ ମିଳିନଥିଲା । ତାଙ୍କ ବୟସ ଆନୁମାନିକ ୩୨ବର୍ଷ ହେବ ବୋଲି ପୁଲିସ କହିଛି ।