22.1 C
Bhubaneswar
Wednesday, January 15, 2025
Homeଓଡିଶାଭୋଟର୍ ତାଲିକାରେ ଆଧାର ସଂଯୋଗ ପ୍ରକ୍ରିୟା ଆରମ୍ଭ: ୧୭ବର୍ଷରୁ ଊର୍ଦ୍ଧ୍ୱ ଯୁବବର୍ଗଙ୍କ ପାଇଁ ଆଗୁଆ ଆବେଦନ...

ଭୋଟର୍ ତାଲିକାରେ ଆଧାର ସଂଯୋଗ ପ୍ରକ୍ରିୟା ଆରମ୍ଭ: ୧୭ବର୍ଷରୁ ଊର୍ଦ୍ଧ୍ୱ ଯୁବବର୍ଗଙ୍କ ପାଇଁ ଆଗୁଆ ଆବେଦନ ସୁବିଧା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର୍ ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି । ଅଗଷ୍ଟ ୧ ତାରିଖଠାରୁ ଏହା କାର୍ଯ୍ୟକାରୀ ହେଉଛି । ମୁଖ୍ୟ ନିର୍ବାଚନ ଅଧିକାରୀ  ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି । ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟର ୧୬.୬.୨୨ର ବିଜ୍ଞପ୍ତି ଅନୁସାରେ, ଲୋକପ୍ରତିନିଧି ଆଇନ-୧୯୫୦ର ଧାରା ୨୮ ଅନୁଯାୟୀ ଭୋଟର୍ ତାଲିକାରେ ନାମ ତାଲିକାଭୁକ୍ତ କରିବା ପାଇଁ ପଞ୍ଜୀକରଣ କରାଯିବ । ସେଥିଯୋଗୁ ପଞ୍ଜୀକରଣ ନିମନ୍ତେ ଥିବା ଫର୍ମଗୁଡ଼ିକରେ କେତେକ ସଂଶୋଧନ କରାଯାଇଛି । ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ କେବଳ ଫର୍ମ ନଂ-୬ରେ ଆବେଦନ କରାଯାଇପାରିବ । ପ୍ରବାସୀ ଭାରତୀୟ ନାଗରିକମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬(କ)ରେ ଆବେଦନ କରିପାରିବେ । ଫର୍ମ ନଂ-୭ ଦ୍ୱାରା ଭୋଟର ତାଲିକାରୁ ନାମ ବାଦ୍‌ଦେବା ଓ ତତ୍‌ସହିତ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରାଯାଇ ପାରିବ ।

ସେହିପରି ଫର୍ମ ନଂ-୮ ମାଧ୍ୟମରେ ନିର୍ବାଚନମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ ଆବେଦନ କରିବା, ଭୋଟର ତାଲିକାରେ ଥିବା ବିବରଣୀଗୁଡ଼ିକର ସଂଶୋଧନ, ଭୋଟର ପରିଚୟପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ କରିବା ନିମନ୍ତେ ଆବେଦଦ କରାଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗ ସ୍ୱେଚ୍ଛାକୃତ ଭାବେ ଭୋଟର ତାଲିକା ସହ ଭୋଟରଙ୍କ ଆଧାର ସଂଯୋଗୀକରଣ କରାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ ନଂ-୬(ଖ)ରେ ଆବେଦନ କରାଯିବ । ବୁଥ୍‌ସ୍ତରୀୟ ଅଧିକାରୀମାନେ ଭୋଟରଙ୍କଠାରୁ ଆଧାର ତଥ୍ୟ ଫର୍ମ ନଂ-୬ (ଖ)ରେ ସଂଗ୍ରହ କରିବେ, ଏହା ସ୍ୱେଚ୍ଛାକୃତ ଭାବେ ସଂଗ୍ରହ କରାଯିବ ।

ଲୋକପ୍ରତିନିଧି ଆଇନ ୧୯୫୦ର ଧାରା ୨୩ରେ ସଂଶୋଧନ କରାଯାଇ ପ୍ରଚଳିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଏବଂ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବାକୁ ଥିବା ଭୋଟରମାନେ ସ୍ୱେଚ୍ଛାକୃତ ଭାବେ ଆଧାର ବିବରଣୀ ପ୍ରଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ଆସନ୍ତା ୨୦୨୩ ଏପ୍ରିଲ ୧ ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟରମାନେ ସେମାନଙ୍କର ଆଧାର ବିବରଣୀ ସଂପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଛି । ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ ନଂ- ୬ (ଖ) ନିର୍ବାଚନ ଆୟୋଗଙ୍କ ୱେବ୍‌ସାଇଟ୍‌, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍ , ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌, ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ୱେବ୍‌ସାଇଟ୍‌ରେ ଅଗଷ୍ଟ ୧ରୁ ଉପଲବ୍ଧ ।

ନାମ ପଞ୍ଜୀକରଣ ନିମନ୍ତେ ଏଣିକି ୪ ଗୋଟି ଯୋଗ୍ୟତାସୂଚକ ତାରିଖ ଯଥା: ଜାନୁଆରୀ ୧ ତାରିଖ, ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ ରହିବ । ପୂର୍ବରୁ କେବଳ ଜାନୁଆରୀ ୧ ତାରିଖକୁ ଯୋଗ୍ୟତାସୂଚକ ତାରିଖ ଧରା ଯାଉଥିଲା । ୧୭ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଯୁବବର୍ଗମାନେ ବର୍ତ୍ତମାନ ସେମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିବା ପାଇଁ ଆଗୁଆ ଆବେଦନ କରିପାରିବେ ଏବଂ ସେଥିପାଇଁ ସେମାନଙ୍କୁ ପୂର୍ବଭଳି ବର୍ଷସାରା ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଯେଉଁ ନୂତନ ଭୋଟରଙ୍କ ବୟସ ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ ହେଉଥିବ ସେମାନେ ନିଜର ନାମ ପଞ୍ଜୀକରଣ  କରିପାରିବେ । ବର୍ତ୍ତମାନଠାରୁ ପ୍ରତି ତିନିମାସରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ହୋଇପାରିବ ଓ ପଞ୍ଜିକୃତ ହେଲା ପରେ ନୂତନ ଭୋଟରମାନଙ୍କୁ ଏକ ଭୋଟର ଫଟୋ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking