ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ମହିଳା ଟେବଲ୍ ଟେନିସ୍ ଖେଳାଳି ମନିକା ବତ୍ରା ଏବଂ ଭାରତୀୟ ଟିଟି ସଂଘ ମଧ୍ୟରେ ବିବାଦ ଥମିନଥିବା ବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଟିଟି ଟିମ୍କୁ ନେଇ ଆଉ ଏକ ବିବାଦ ଦେଖା ଦେଇଛି । ମହିଳା ମ୍ୟାଚ୍ ବେଳେ ପୁରୁଷ ଟିମ୍ କୋଚ୍ଙ୍କ ଉପସ୍ଥିତିକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ ଭାରତୀୟ ମହିଳା ଟିଟି ଟିମ୍ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ଟୁର୍ଣ୍ଣାମେଣ୍ଟ୍ରେ ଭାଗ ନେଇଥିବା ବେଳେ କ୍ୱାର୍ଟର୍ଫାଇନାଲ୍ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାଲେସିଆଠାରୁ ପରାସ୍ତ ହୋଇଥିଲା । ନକ୍ଆଉଟ୍ ପର୍ଯ୍ୟାୟର ଏହି ମ୍ୟାଚ୍ରେ ଭାରତୀୟ ଟିମ୍ର ମହିଳା କୋଚ୍ ଅନନ୍ଦିତା ଚକ୍ରବର୍ତ୍ତୀ ଅନୁପସ୍ଥିତ ଥିବା ଦେଖାଯାଇଥିଲା । ତାଙ୍କ ସ୍ଥାନରେ ପୁରୁଷ ଟିମ୍ କୋଚ୍ ଏସ୍ ରମଣ କୋର୍ଟ ନିକଟରେ ଉପସ୍ଥିତ ଥିବା ନେଇ ପ୍ରଶ୍ନ ଉଠିଥିଲା । ଭାରତୀୟ ଟେବଲ୍ ଟେନିସ୍ ସଂଘର ସଞ୍ଚାଳନ କରୁଥିବା ପ୍ରଶାସକ କମିଟିର ଜଣେ ସଦସ୍ୟ ଏସ୍ଡି ମୁଦଗିଲ୍ କହିଛନ୍ତି, ଏପରି ହେବା କଥା ନୁହେଁ । ମହିଳା ମ୍ୟାଚ୍ ଅବସରରେ ମହିଳା କୋଚ୍ ଉପସ୍ଥିତ ରହିବା ଉଚିତ ଥିଲା । ଏହି ମାମଲାରେ ମୁଁ ଟିମ୍ ସହିତ ଆଲୋଚନା କରିବି ବୋଲି ମୁଦଗିଲ୍ କହିଛନ୍ତି । ଏହି ଅପ୍ରତ୍ୟାଶିତ ପରାଜୟ ପରେ ମନିକା ବତ୍ରାଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ମିଡିଆ ସହିତ ଆଲୋଚନା ପାଇଁ ମଧ୍ୟ ଅଟକି ନଥିଲା । ମ୍ୟାଚ୍ ପରେ ମିଡିଆ ସହିତ ଆଲୋଚନା ବୃହତ୍ ପ୍ରତିଯୋଗିତାରେ ଏକ ମାନକ ପ୍ରୋଟୋକଲ୍ ।