ନବରଙ୍ଗପୁର : ପୁଣି ଥରେ ଅନ୍ଧ ବିଶ୍ୱାସର କୁପରିଣତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ପୁରାତନ ଚେଙ୍କ ଚିକିତ୍ସା ଯୋଗୁ ଜୀବନ ହାରିଛି ଜଣେ ୯ ମାସର ଶିଶୁ ପୁତ୍ର । ଘଟଣାଟି ରାଇଘର ବ୍ଲକ କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ ଘଟିଛି । ମେଡିକାଲରେ ଶିଶୁର ଚିକିତ୍ସା ଚାଲିଥିବା ସମୟରେ ଶିଶୁକୁ ନେଇ ମେଡିକାଲରୁ ଲୁଚିପଳାଇଥିଲେ ବାପା ମା’ । ତେବେ ଜିଲ୍ଲାରେ ଚେଙ୍କ ବିରୋଧୀ ସଚେତନତା କାର୍ଯ୍ୟକ୍ରମର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ । ଏହି ଗ୍ରାମର ସୁକଦେବ ଗଣ୍ଡଙ୍କ ୯ ମାସର ଶିଶୁପୁତ୍ରକୁ ଗତ ସୋମବାର ଥଣ୍ଡା କାସ ସହିତ ଜ୍ୱର ହୋଇଥିଲା । ସେଠାକାର ଆଶାକର୍ମୀ ସହନ୍ତି ଗଣ୍ଡ ଗତ ମଙ୍ଗଳବାର ସୁକଦେବ ଘରକୁ ଯାଇ ପୁଅକୁ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ ।
କିନ୍ତୁ ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ ଏବଂ ବୁଧବାର ଜୋଡ଼ଯୋଙ୍ଗା ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ ଡକାଇ ଶିଶୁ ପୁତ୍ର ରୂପେଶକୁ ଚେଙ୍କ ଦେଇଥିଲେ । ଚେଙ୍କ ଦେଉଥିବା ସମୟରେ ଆଶାକର୍ମୀ ସେଠାକୁ ପହଞ୍ଚି ଏଭଳି ଅବସ୍ଥା ଦେଖି ତୁରନ୍ତ ୧୦୮ ଆମ୍ବୁଲାନସ୍ ଡକାଇ ଥିଲେ । ସେତେବେଳକୁ ଚେଙ୍କ ଯୋଗୁଁ ଶିଶୁଟିର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା । ପରେ ଆଶାକର୍ମୀଙ୍କ ସହାୟତାରେ ଶିଶୁକୁ ହାଟଭରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ଶିଶୁପୁତ୍ରକୁ ଭର୍ତ୍ତି କରି ଭଲ ହେବା ପର୍ଯ୍ୟନ୍ତ ଚିକିତ୍ସା ଚାଲୁ ରହିବ ବୋଲି କହିଥିଲେ । କିନ୍ତୁ ପରିବାର ଲୋକେ ମେଡିକାଲରେ ଡାକ୍ତରଙ୍କୁ ଡିସଚାର୍ଜ କରିଦିଅ ବୋଲି ବାରମ୍ବାର କହିଥିଲେ ।
କିନ୍ତୁ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଅବସ୍ଥା ଶୋଚନୀୟ ଅଛି ତାକୁ ଛଡ଼ାଯିବ ନାହିଁ ବୋଲି ଡାକ୍ତର ସଫା ସଫା ମନା କରିଥିଲେ । ଗୁରୁବାର ଆଶାକର୍ମୀ ଓ ଡାକ୍ତର ଆସି ଦେଖିବା ବେଳକୁ ଶିଶୁପୁତ୍ରକୁ ନେଇ ପରିବାର ଲୋକେ ମେଡିକାଲରୁ ଲୁଚି ଚାଲିଯାଇଥିଲେ । ଏହା ପରେ ଡାକ୍ତର ଏ ନେଇ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ ଜଣାଇଥିଲେ । ଆଶାକର୍ମୀ ସହନ୍ତି ଗଣ୍ଡ ପୁଣି ଥରେ ସୁକଦେବ ଗଣ୍ଡଙ୍କ ଘରକୁ ଯାଇ ଦେଖିବା ବେଳକୁ ଶିଶୁଟିକୁ ଘରୋଇ ଚିକିତ୍ସା କରୁଥିଲେ । ଆଶାକର୍ମୀ ସେମାନଙ୍କୁ ବହୁତ ବୁଝାଇବା ପରେ ବି ସେମାନେ ନ ବୁଝିବାରୁ ସେ ନିରାଶ ହୋଇ ଫେରି ଆସିଥିଲେ । ଶେଷରେ ଶିଶୁ ପୁତ୍ର ଆଜି ସବୁଦିନ ପାଇଁ ଆଖି ବୁଜିଦେଲା । ତେବେ ଚେଙ୍କ ଭଳି ଏକ ଅନ୍ଧ ବିଶ୍ୱାସର ଚିକିତ୍ସା ଯୋଗୁଁ ଆଜି ଆଉ ଏକ ନିରୀହ ଶିଶୁର ଜୀବନ ଯାଇଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।