ଦୁବାଇ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍ ଓ ପାକିସ୍ତାନର ଡେବ୍ୟୁଟାଣ୍ଟ୍ ମହିଳା ସ୍ପିନର୍ ଟୁବା ହସନ୍ ମେ’ ପାଇଁ ଯଥାକ୍ରମେ ଆଇସିସି ପୁରୁଷ ଓ ମହିଳା କ୍ରିକେଟର୍ ଅଫ୍ ଦି ମନ୍ଥ ବିବେଚିତ ହୋଇଛନ୍ତି । ବାଂଲାଦେଶ ବିପକ୍ଷ ଟେଷ୍ଟ୍ ସିରିଜ୍ ବିଜୟରେ ମାଥ୍ୟୁସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ୨ଟି ଟେଷ୍ଟ୍ରେ ୧୭୨ ହାରରେ ୩୪୪ ରନ୍ କରିଥିଲେ, ଯେଉଁଥିରେ ୧୯୯ ସର୍ବାଧିକ ସ୍କୋର୍ ରହିଥିଲା । ଏହାଛଡ଼ା ସେ ଦ୍ୱିତୀୟ ଟେଷ୍ଟ୍ରେ ୧୪୫ ରନ୍ର ଅପରାଜିତ ଇନିଂସ ମଧ୍ୟ ଖେଳିଥିଲେ । ଏଥିସହ ମାଥ୍ୟୁସ୍ ପ୍ରଥମ ଶ୍ରୀଲଙ୍କା ଖେଳାଳି ଭାବେ ଆଇସିିସି ପ୍ଲେୟର୍ ଅଫ୍ ଦି ମନ୍ଥ ବିବେଚିତ ହୋଇଛନ୍ତି ।
ଏ କ୍ଷେତ୍ରରେ ନିଜ ଦେଶର ଅସୀତା ଫର୍ଣ୍ଣାଣ୍ଡୋ ଓ ବାଂଲାଦେଶର ମୁଶଫିକର୍ ରହିମ୍ଙ୍କୁ ପଛରେ ପକାଇ ଦେଇଛନ୍ତି । ଅନ୍ୟପକ୍ଷରେ ୨୧ ବର୍ଷୀୟା ଟୁବା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଓଭର୍ ପିଛା ମାତ୍ର ୩.୬୬ ରନ୍ ଦେବା ସହ ୮.୮ ହାରରେ ୫ଟି ୱିକେଟ୍ ନେଇ ଟୁବା ନିଜର ଡେବ୍ୟୁ ସିରିଜ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ବିଶେଷକରି କରାଚୀଠାରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ରେ ସେ ମାତ୍ର ୮ ରନ୍ ଦେଇ ୩ଟି ୱିକେଟ୍ ନେବା ଫଳରେ ଭ୍ରମଣକାରୀ ଶ୍ରୀଲଙ୍କା ୧୦୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ସେ ନିଜ ଅଧିନାୟିକା ବିସ୍ମା ମାରୁଫ୍ ଓ ଜର୍ସି ଟିମ୍ର ଟ୍ରିନିଟି ସ୍ମିଥ୍ଙ୍କୁ ପଛରେ ପକାଇ ମାସର ଶ୍ରେଷ୍ଠ ମହିଳା ଖେଳାଳି ବିବେଚିତ ହୋଇଛନ୍ତି । ଏଥିସହ ସେ ପାକିସ୍ତାନର ପ୍ରଥମ ମହିଳା ଖେଳାଳି ଭାବେ ଏହି ସମ୍ମାନ ପାଇଛନ୍ତି ।