ଇସ୍ଲାମାବାଦ: ପାକିସ୍ତାନରେ ଏବେ ବିଦ୍ୟୁତ୍ ସଙ୍କଟ ଗମ୍ଭୀର ହେବାକୁ ଲାଗିଛି । ଏହା ମଧ୍ୟରେ ଏକ ପାଞ୍ଚଜଣିଆ ପାକ୍ ପ୍ରତିନିଧିମଣ୍ଡଳୀ (ଡେଲିଗେସନ୍) ଆସନ୍ତା ୩୦ ତାରିଖରେ ଭାରତ ଗସ୍ତ କରିବ । ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ସିନ୍ଧୁ ଜଳ ସନ୍ଧି ସହ ଜଡ଼ିତ ୩ଟି ହାଇଡ୍ରୋପାୱାର୍ ପ୍ରୋଜେକ୍ଟ ଉପରେ ଆଲୋଚନା କରିବେ । ଏହା ମଧ୍ୟରୁ ଗୋଟିଏ ପ୍ରୋଜେକ୍ଟର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୧୦୦୦ ମେଗାୱାଟ୍ । ଦ୍ୱିତୀୟର ୪୮ ମେଗାୱାଟ୍ ହୋଇଥିବା ବେଳେ ତୃତୀୟ ପୋଜେକ୍ଟର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୬୨୪ ମେଗାୱାଟ୍ । ଏହା ବ୍ୟତୀତ ଉଭୟ ପକ୍ଷରୁ ଫ୍ଲଡ୍ ଇନ୍ଫର୍ମେସନ୍ ଏବଂ ସିନ୍ଧୁ ଜଳ ସ୍ଥାୟୀ କମିଶନ୍ (ପିସିଆଇଡବ୍ଲ୍ୟୁ)ର ବାର୍ଷିକ ରିପୋର୍ଟ ଉପରେ ମଧ୍ୟ ଆଲୋଚନା କରିବେ । ସିନ୍ଧୁ ଜଳ ଉପରେ ପାକିସ୍ତାନର କମିଶନର୍ ସହଦ୍ ମେହର ଅଲୀ କହିଛନ୍ତି, ପିସିଆଇଡବ୍ଲ୍ୟୁ ସ୍ତର ଉପରେ ଏହା ୧୧୮ତମ ଦ୍ୱିପାକ୍ଷିକ ବୈଠକ ହେବ ।
ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଚଳିତ ବର୍ଷ ମାର୍ଚ୍ଚ୨-୪ ଇସ୍ଲାମାବାଦ୍ରେ ତିନିଦିନିଆ କଥାବାର୍ତ୍ତା ହୋଇଥିଲା । ତେବେ ପାକ୍ ପ୍ରତିନିଧିମଣ୍ଡଳୀ ଝେଲମ୍ ଓ ଚିନାବ୍ ନଦୀ ଉପରେ ନିର୍ମାଣାଧୀନ କୌଣସି ହାଇଡ୍ରୋପାୱାର୍ ପ୍ରୋଜେକ୍ଟ ଗସ୍ତ କରିବେ ନାହିଁ ଅଲୀ କହିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଅନୁସାରେ ସିନ୍ଧୁ ଜଳ ସନ୍ଧି ୧୯୬୦ ବ୍ୟବସ୍ଥାରେ ନଥିବା କେତେକ ପ୍ରୋଜେକ୍ଟ ଉପରେ ଉଭୟ ପକ୍ଷ ଆଲୋଚନା କରିବେ । ଭାରତ ଓ ପାକିସ୍ତାନ ମଧ୍ୟରେ ନଦୀଜଳ ବଣ୍ଟନ ପାଇଁ ୧୯୬୦ ସେପ୍ଟେମ୍ବର ୧୯ ତାରିଖରେ ସିନ୍ଧୁ ଜଳ ସନ୍ଧି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର ନେହରୁ ଏବଂ ପାକିସ୍ତାନ ରାଷ୍ଟ୍ରପତି ଆୟୁବ୍ ଖାନ୍ଙ୍କ ମଧ୍ୟରେ କରାଚିରେ ସ୍ୱାକ୍ଷରିତ ହୋଇଥିଲା । ଏଥିରେ ଛଅଟି ନଦୀ ବ୍ୟାସ, ରାବି, ସତ୍ଲୁଜ୍, ସିନ୍ଧୁ, ଚିନାବ ଓ ଝେଲମ୍ର ଜଳର ବିତରଣ ଓ ବ୍ୟବହାର କରିବା ଅଧିକାର ସାମିଲ । ଏହି ଚୁକ୍ତି ପାଇଁ ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତା କରିଥିଲା ।