ନୂଆଦିଲ୍ଲୀ: ଏପ୍ରିଲ ମାସରେ ଅଟୋମୋବାଇଲ ସେକ୍ଟରରେ ଖୁଚୁରା ବିକ୍ରୟ ୩୭ ପ୍ରତିଶତ ବୃଦ୍ଧି ପାଇଛି । ଏନେଇ ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ବିଗତ ବର୍ଷ ଏପ୍ରିଲରେ ଭାରତ କରୋନା କବଳରେ ଥିବା କାରଣରୁ ଅଟୋମୋବାଇଲ ସେକ୍ଟରର ବିକ୍ରିରେ ତୀବ୍ର ହ୍ରାସ ଘଟିଥିଲା । ୨୦୨୧ ଏପ୍ରିଲରେ ଖୁଚୁରା ବିକ୍ରୟ ୧୧ ଲକ୍ଷ ୮୭ ହଜାର ୭୭୧ ରହିଥିବା ବେଳେ ଚଳିତ ବର୍ଷ ଏଥିରେ ବୃଦ୍ଧି ପାଇ ୧୬ ଲକ୍ଷ ୨୭ ହଜାର ୯୭୫ରେ ପହଞ୍ଚିଛି । ରିପୋର୍ଟ ମୁତାବକ ଏପ୍ରିଲରେ ଯାତ୍ରୀବାହୀ ଗାଡ଼ି ବିକ୍ରି ୨୫ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୧୦ ହଜାର ୬୮୨ରେ ପହଞ୍ଚିଛି ।
ସେହିଭଳି ଦୁଇ ଚକିଆ ଯାନ ବିକ୍ରିରେ ମଧ୍ୟ ଆଶାତୀତ ଭାବରେ ବଢିଛି । ଗତ ବର୍ଷ ଏପ୍ରିଲ ତୁଳନାରେ ୩୮ ପ୍ରତିଶତ ବୃଦ୍ଧି ପାଇ ୧୧ ଲକ୍ଷ ୯୪ ହଜାର ୫୨୦ରେ ପହଞ୍ଚିଛି । ତେବେ କମର୍ସିଆଲ ଗାଡ଼ି ଗୁଡ଼ିକର ବିକ୍ରିରେ ୫୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ତିନି ଚକିଆ ଅଟୋରେ ସର୍ବାଧିକ ୯୪ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦ ଏବଂ ୨୦୨୧ ଦୁଇ ବର୍ଷ ଧରି ଦେଶ କରୋନା କବଳରେ ଥିବାରୁ ଅଟୋମୋବାଇଲ ସେକ୍ଟର ଗଭୀର ଭାବରେ ପ୍ରଭାବିତ ହୋଇଥିଲା ।
ଏହା ପରେ ଚଳିତ ବର୍ଷ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ଖୁଚୁରା ବିକ୍ରୟରେ ବୃଦ୍ଧି ପାଇଛି । ତେବେ କରୋନା ପୁର୍ବକାଳ ଏପ୍ରିଲ୍ ୨୦୧୯ ତୁଳନାରେ ଏପ୍ରିଲ୍ ୨୦୨୨ ମଧ୍ୟରେ ତୁଳନା କରାଗଲେ ସାମଗ୍ରିକ ଖୁଚୁରା ବ୍ୟବସାୟ ୬% ହ୍ରାସ ପାଇଛି ବୋଲି ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି । ବର୍ତ୍ତମାନ ସମୟରେ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଚାଇନାରେ କରୋନା ବିସ୍ତାର କାରଣରୁ ଲକଡାଉନ୍ ଲାଗୁ ହୋଇଛି, ଏହାର ପ୍ରଭାବରେ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେଉଛି । ତେବେ ବାହାଘର ଋତୁ ଏବଂ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବାକୁ ଥିବାରୁ ଖୁଚୁରା ବିକ୍ରି ବୃଦ୍ଧି ପାଇବା ନେଇ ସେ ଆଶା ପ୍ରକଟ କରିଛନ୍ତି ।