ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ଲହରୀରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଏବର୍ଷ ଏପ୍ରିଲ୍ରେ ୪୫ଂ ତାତି ରେକର୍ଡ଼ ହୋଇଛି । ଗୁରୁବାର ବୌଦ୍ଧର ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି । ବୌଦ୍ଧ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ରାଜ୍ୟରେ ଆହୁରି ୩ ଦିନ ହିଟୱେଭ୍ ସ୍ଥିତି ଜାରି ରହିବ । ପଶ୍ଚିିମରେ ସ୍ଥିତି ସଙ୍ଗୀନ ହେବ । ଆଭ୍ୟନ୍ତରୀଣ ଓ ପଶ୍ଚିମାଞ୍ଚଳରେ ପାରଦ ୪୪ଂ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ରାଜ୍ୟର ୨୫ଟି ସହରର ତାପମାତ୍ରା ୪୦ଂ ପାର୍ କରିଥିବା ବେଳେ ୧୩ ସହର ତାପମାତ୍ରା ୪୩ଂ ଉପରେ ଏବଂ ୮ଟି ସହରର ତାପମାତ୍ରା ୪୪ଂ ପାର କରିଥିବା ରେକର୍ଡ କରାଯାଇଛି ।
ପାଣିପାଗ ବିଭାଗର ସୂଚନା ମୁତାବକ, କାଳବୈଶାଖୀ ପ୍ରଭାବରେ ହିଟ୍ୱେଭରେ ସାମାନ୍ୟ ବ୍ରେକ୍ ଲାଗିବ । ଆଗାମୀ ୩ ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ମେ’ ୧ ଏବଂ ୨ ତାରିଖରେ ୨ ଡିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବ । ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲା ଲାଗି ହିଟେ୍ୱଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂଭଭଞ୍ଜ, ଅନୁଗୁଳ, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର । ଏହାରି ଭିତରେ ମେ’ ପ୍ରଥମ ସପ୍ତାହରୁ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ଖସିବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଆଧାରରେ ଏସ୍ଆର୍ସି ପକ୍ଷରୁ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖଯାଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ଆଗାମୀ ୨ ଦିନ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କୁହାଯାଇଛି । ଏସ୍ଆରସି ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ବଢ଼ିବାକୁ ଥିବା ବେଳେ ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ । ଟାଣ ଖରା (ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା)ରେ ଲୋକଙ୍କୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ଅନୁସାରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ରହିଛି ।
ଗୁରୁବାର ଚାନ୍ଦବାଲିରେ ୪୦.୪ ଡିଗ୍ରୀ ରହିଥିବା ବେଳେ କଟକରେ ୪୦, ଭୁବନେଶ୍ୱରରେ ୩୯.୮, ଅନୁଗୁଳରେ ୪୪.୩, ବାରିପଦାରେ ୪୨.୪, ଝାରସୁଗୁଡାରେ ୪୪.୪, କେନ୍ଦୁଝରରେ ୪୨.୮, ସମ୍ବଲପୁରରେ ୪୪, ସୁନ୍ଦରଗଡରେ ୪୩, ହୀରାକୁଦରେ ୪୩.୧, ଭବାନୀପାଟଣାରେ ୪୩, ବଲାଙ୍ଗିର ୪୪.୫, ଫୁଲବାଣୀ ୪୧.୮, ଟିଟିଲାଗଡରେ ୪୪.୨, ତାଳଚେରରେ ୪୩.୫, ଭଦ୍ରକରେ ୪୧.୫, ଯାଜପୁରରେ ୪୧, ଢେଙ୍କାନାଳରେ ୪୨, ଦେବଗଡ଼ରେ ୪୪.୫, ବରଗଡ଼ରେ ୪୩.୫, ନୂଆପଡ଼ାରେ ୪୨, ସୋନପୁରରେ ୪୪, ନୟାଗଡ଼ରେ ୪୧.୫, ପାରଳାଖେମୁଣ୍ଡିି ୪୧.୫ ଓ ମାଲକାନଗିରିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।