24.1 C
Bhubaneswar
Thursday, January 16, 2025
Homeଆଇପିଏଲ୍ -2022ଆଇପିଏଲ୍‌-୧୫: ଆର୍‌ସିବିକୁ ୨୯ ରନ୍‌ରେ ହରାଇଲା ରାଜସ୍ଥାନ

ଆଇପିଏଲ୍‌-୧୫: ଆର୍‌ସିବିକୁ ୨୯ ରନ୍‌ରେ ହରାଇଲା ରାଜସ୍ଥାନ

ପୁଣେ: ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ମଙ୍ଗଳବାର ୩୯ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ରାଜସ୍ଥାନ ରୟାଲ୍ସ ୨୯ ରନ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇଁ ଆହ୍ୱାନ ପାଇବା ପରେ ରାଜସ୍ଥାନ ୮ ୱିକେଟ୍ ବିନିମୟରେ ୧୪୪ ରନ୍ କରିଥିଲା । ଦଳର ଶୀର୍ଷଭାଗ ବ୍ୟାଟ୍ସମ୍ୟାନ୍‌ମାନେ ଫେଲ୍ ମାରିବା ପରେ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରିୟାନ୍ ପରାଗ୍ ୫୬ ରନ୍‌ର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେହିପରି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ସହଜ ଟାର୍ଗେଟ୍ ପାଇଥିଲେ ହେଁ ରାଜସ୍ଥାନ ବୋଲର୍‌ମାନେ ନିୟମିତ ବ୍ୟବଧାନରେ ୱିକେଟ୍ ନେବା ଫଳରେ ଦଳ ୧୯.୩ ଓଭର୍‌ରେ ମାତ୍ର ୧୧୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା ।

ମାତ୍ର ୩୩ ରନ୍‌ରେ ରାଜସ୍ଥାନ ଶୀର୍ଷ ୩ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇବା ପରେ ଅଧିନାୟକ ସଞ୍ଜୁ ସାମ୍‌ସନ୍ ଓ ଡାରିଲ୍ ମିଚେଲଙ୍କ ମଧ୍ୟରେ ୩୫ ରନ୍‌ର ଭାଗୀଦାରୀ ହୋଇଥିଲା । ସାମ୍‌ସନ୍ ଗୋଟିଏ ଚୌକା ଓ ୩ଟି ଛକା ସହ ୨୭ ରନ୍ କରିଥିବା ବେଳେ ମିଚେଲ୍ ୧୬ ରନ୍‌ର ଅବଦାନ ଦେଇଥିଲେ । କିନ୍ତୁ ପରାଗ୍ ସ୍ଥିର ବ୍ୟାଟିଂ କରି ୩୧ଟି ବଲ୍‌ରେ ୩ଟି ଚୌକା ଓ ୪ଟି ଛକା ଜରିଆରେ ୫୬ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ତାଙ୍କ ବ୍ୟତୀତ ଓପନର ଜୋସ୍ ବଟଲର୍ ୮, ତାଙ୍କ ଯୋଡ଼ିଦାର ଦେବଦତ୍ତ ପାଡିକଲ୍ ୭, ରବିଚନ୍ଦ୍ରନ୍ ଅଶ୍ୱିନ୍ ୪ଟି ଚୌକା ସହ ୧୭, ଶିମରୋନ୍ ହେଟମେୟର୍ ୩, ଟ୍ରେଣ୍ଟ୍ ବୋଲ୍ଟ ୫ ଓ ପ୍ରସିଦ୍ଧ କ୍ରିଷ୍ଣା ୨ ରନ୍ କରିଥିଲେ । ଆର୍‌ସିବି ପକ୍ଷରୁ ଜୋଶ୍ ହେଜଲଉଡ୍‌, ୱାନିନ୍ଦୁ ହସରଙ୍ଗା ଓ ମହମ୍ମଦ ସିରାଜ୍ ୨ଟି ଲେଖାଏଁ ଏବଂ ହର୍ଷଲ୍ ପଟେଲ୍ ଗୋଟିଏ ୱିକେଟ୍ ନେଇଥିଲେ ।

ଇନିଂସ ଓପନ୍ କରିଥିବା ବିରାଟ କୋହଲି ମାତ୍ର ୯ ରନ୍ କରି ଆଉଟ୍ ହେବା ଫଳରେ ଆର୍‌ସିବି ପ୍ରଥମ ୱିକେଟ୍ ହରାଇଥିଲା । ଅଧିନାୟକ ତଥା ଅନ୍ୟତମ ଓପନର ଫାଫ୍ ଡୁପ୍ଲେସିସ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୨୩ ରନ୍ କରିଥିବା ବେଳେ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳୁଥିବା ରଜତ ପାଟିଦାର ଗୋଟିଏ ଛକା ସହ ୧୬ ଏବଂ ଶାହବାଜ୍ ଅହମ୍ମଦ ଗୋଟିଏ ଛକା ସହ ୧୭ ରନ୍ କରିଥିଲେ । ଗ୍ଲେନ୍ ମ୍ୟାକ୍ସୱେଲ୍ ଖାତା ବି ଖୋଲି ନ ଥିବା ବେଳେ ସୂୟାଶ ପ୍ରଭୁଦେଶାଇ ୨ ରନ୍ କରିଥିଲେ । ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ୬ ରନ୍ କରିଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆଉଟ୍ ହେବା ଫଳରେ ଆର୍‌ସିବିର ବିଜୟ ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଅନ୍ୟମାନଙ୍କ ମଧ୍ୟରେ ହସରଙ୍ଗା ୨ଟି ଚୌକା ସହ ୧୮, ପଟେଲ୍ ଗୋଟିଏ ଛକା ସହ ପଟେଲ୍ ୮ ଓ ସିରାଜ୍ ଗୋଟିଏ ଚୌକା ସହ ୫ ରନ୍ କରିଥିଲେ । ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ୍ ସର୍ବାଧିକ ୪ଟି, ଅଶ୍ୱିନ୍ ୩ଟି ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ରାଜସ୍ଥାନ ରୟାଲ୍ସ-୧୪୪/୮, ୨୦ ଓଭର୍ (ରିୟାନ୍ ପରାଗ୍‌-୫୬, ସଞ୍ଜୁ ସାମ୍‌ସନ୍‌-୨୭, ଜୋଶ୍ ହେଜଲଉଡ୍‌-୧୯/୨, ୱାନିନ୍ଦୁ ହସରଙ୍ଗା-୨୩/୨); ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌-୧୧୫, ୧୯.୩ ଓଭର୍ (ଫାଫ୍ ଡ୍ୟୁପ୍ଲେସିସ୍ ୨୩, ୱାନିନ୍ଦୁ ହସରଙ୍ଗା-୧୮, ରବିଚନ୍ଦ୍ରନ୍ କୁଲଦୀପ ସେନ୍‌-୨୦/୪) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking