ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ୨୦୨୨-୨୩ ଆର୍ôଥକ ବର୍ଷ । ଆସନ୍ତା କାଲିଠାରୁ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପାଇଁ ଲୋକମାନଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିପାରେ । ସେଗୁଡ଼ିକ ମଧ୍ୟରେ ରହିଛି ଔଷଧ, ସିଏନଜି, ପାଇପ, ଏଲପିଜି ଗ୍ୟାସ, ସିମେଣ୍ଟ ଇତ୍ୟାଦି । ପ୍ରାୟ ୮୦୦ଟି ଜୀବନ ରକ୍ଷାକାରୀ ଔଷଧର ମୂଲ୍ୟବୃଦ୍ଧି ହୋଇପାରେ । ପୁଣି ଯଦି ଦୈନିକ ତେଲଦର ବୃଦ୍ଧିକୁ ହିସାବକୁ ନିଆଯାଏ, ତେବେ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢିବ । କେବଳ ଏତିକି ନୁହେଁ, କ୍ରିପ୍ଟୋକରେନ୍ସି କିଣିବା ମଧ୍ୟ ମହଙ୍ଗା ହୋଇପାରେ ।
କାରଣ ଏପ୍ରିଲ ୧ରୁ କ୍ରିପ୍ଟୋକରେନ୍ସି ଉପରେ ମିଳୁଥିବା ଲାଭ ଉପରେ ସରକାର ୩୦ ପ୍ରତିଶତ ଟିକସ ଲଗାଇବେ । ଅନ୍ୟପକ୍ଷରେ ଏହି ଆର୍ôଥକ ବର୍ଷର ପ୍ରଥମ ତିନିମାସ ଅର୍ଥାତ ଏପ୍ରିଲ-ଜୁନ ପାଇଁ ସରକାର ସ୍ୱଳ୍ପ ସଞ୍ଚୟ ସ୍କିମ ଉପରେ ଦିଆଯାଉଥିବା ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ପିପିଏଫ, ସୁକନ୍ୟା ସମୃଦ୍ଧି ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ, ପୋଷ୍ଟ ଅଫିସ ସଞ୍ଚୟ ସ୍କିମ, ଜାତୀୟ ସଞ୍ଚୟ ସାର୍ଟିଫିକେଟ ସ୍କିମ ଇତ୍ୟାଦି । ପିପିଏଫ ଉପରେ ୭.୧ ପ୍ରତିଶତ ସୁଧ ମିଳୁଥିବାବେଳେ ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ ଉପରେ ୭.୪ ପ୍ରତିଶତ, ପୋଷ୍ଟ ଅଫିସ ସଞ୍ଚୟ ସ୍କିମ ଗୁଡ଼ିକରେ ୫.୫ରୁ ୬.୭ ପ୍ରତିଶତ ସୁଧ, ଏନଏସସି ଉପରେ ୬.୮ ପ୍ରତିଶତ ସୁଧ ମିଳୁଛି ।