ଭୁବନେଶ୍ୱର : ମାନସ ମର୍ଡର ମିଷ୍ଟ୍ରିରେ ନୂଆ ଖୁଲାସା । କଳା, ସାହିତ୍ୟ ପ୍ରତି ରୁଚି ରଖୁଥିବା ତଥାକଥିତ ସମାଜସେବୀଙ୍କ ମୁଣ୍ଡରେ ଖେଳୁଥିବା ପିଶାଚ ବୁଦ୍ଧିର ହେଲା ପର୍ଦ୍ଦାଫାସ୍ । ଯାହାର ସତ ଉଗାରିଛି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାର ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ ଓରଫ୍ ରାଜ୍ । ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱର ଦୟାଲ୍ ଆଶ୍ରମରେ ହତ୍ୟା ଆଉ ନୟାଗଡ଼ ରଣପୁରରେ ଶବ ପୋତାଯିବାର ପ୍ରତିଟି କାହାଣୀର କରିଛି ଖୁଲାସା । ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀ ମିଶି ମାନସଙ୍କୁ ଅପହରଣ କରିଥିଲେ ଚାନ୍ଦବାଲି ପଳାସପୁର ଗାଁରୁ ।
ସେଠାରୁ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଅଣାଯାଇଥିଲା। ଆଶ୍ରମରେ ନିରଞ୍ଜନ ସେଠୀ ସହ ଅନ୍ୟମାନେ ପିଟି ପିଟି ହତ୍ୟା କରିବା ପରେ ଶର୍ମିଷ୍ଠାଙ୍କ କାରରେ ମୃତଦେହକୁ ଅଖାରେ ଭର୍ତ୍ତି କରି ନୟାଗଡ଼ ରଣପୁରକୁ ନେଇ ପୋତି ଦେଇଥିଲେ । ଶବ ପୋତିବା ପରେ ସମସ୍ତେ ପୁଣି ଚଣ୍ଡିଖୋଲ ଫେରି ଦୈତାରୀ-ପାରାଦୀପ ଏକ୍ସପ୍ରେସ ହାଇୱେ କଡ଼ରେ ମାନସଙ୍କ ମୋବାଇଲ୍ ଇୟର ଫୋନ୍, ଚପଲ ଏବଂ ଶବ ନେଇଥିବା ଅଖାକୁ ପୋଡ଼ିଦେଇଥିଲେ ବୋଲି କହିଛି ରଞ୍ଜନ । ତା’ସହ ଶବ ପୋତିବା ପାଇଁ ବ୍ୟବହୃତ କୋଦାଳ, ଗଇଁତିକୁ ବି ବୂଦାମୂଳେ ଫିଙ୍ଗି ଦେଇଥିଲେ ।
ରାଜ୍କୁ ସାଙ୍ଗରେ ଚଣ୍ଡିଖୋଲ୍ ନେଇ ଆଜି ଏସବୁ ସାମଗ୍ରୀକୁ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସେଠାରୁ ଏକ ଦରପୋଡ଼ା ଶାଢ଼ି ମିଳିଛି । ଅର୍ଥାତ ପ୍ରମାଣ ନଷ୍ଟ କରିବା ପାଇଁ ଏହାଥିଲା ସୁଚିନ୍ତିତ ଯୋଜନା । ଏହାପୂର୍ବରୁ ଯାଜପୁର ଧର୍ମଶାଳାର ଶଙ୍ଖାରିଡିହ ପାଖରୁ ମାନସଙ୍କ ମୋବାଇଲ୍ ପାଇଥିଲା ଚାନ୍ଦବାଲି ପୋଲିସ୍ । ସେଠାକୁ ଯାଇ କ୍ରାଇମବ୍ରାଞ୍ଚ ଟିମ୍ ବି ଅନୁଧ୍ୟାନ କରିଛି ।