ମୁମ୍ବାଇ: ମହାରାଷ୍ଟ୍ର ସୀମାବର୍ତ୍ତୀ ବୁରହାନପୁର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖୁଲାସା ହୋଇଛି । ଜଣେ ଯୁବକଙ୍କ ନିର୍ବନ୍ଧ ହେବା ପରେ ବି ଅନ୍ୟ ଜଣେ ଝିଅ ସହିତ ଚାଟିଙ୍ଗ ଜାରି ରଖିଥିବାରୁ ତାଙ୍କୁ ହତ୍ୟା କରାଯାଇଛି । ତେବେ ତାଙ୍କୁ କୌଣସି ଶତ୍ରୁ କିମ୍ବା ଅଜ୍ଞାତ ବ୍ୟକ୍ତି ହତ୍ୟା କରିନଥିଲେ ବରଂ ତାଙ୍କ ପିତାମାତା ଏବଂ ଭଉଣୀ ତାଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ବୁରହାନପୁର ଜିଲ୍ଲାର ନିମ୍ବୋଲା ପୋଲିସ ଷ୍ଟେସନ ଅଞ୍ଚଳର ଧୁଲକୋଟ ଗାଁରେ ଭୀମ ସିଂ, ତାଙ୍କ ପତ୍ନୀ ଜମୁନା ବାଇ, ଝିଅ କୃଷ୍ନା ଏବଂ ପୁଅ ରାମକୃଷ୍ଣ ରହୁଥିଲେ । ଭୀମ ସିଂ ବିଦ୍ୟାଳୟର ଶିକ୍ଷକ ଥିବାବେଳେ ତାଙ୍କ ପୁଅ ରାମକୃଷ୍ଣ କିଛି କରୁନଥିଲେ । ଭୀମ, ତାଙ୍କ ପୁଅ ରାମକୃଷ୍ଣଙ୍କ ନିର୍ବନ୍ଧ କରିଦେଇଥିଲେ । ଏହା ପରେ ମଧ୍ୟ ରାମକୃଷ୍ଣ ଅନ୍ୟ ଝିଅଙ୍କ ସହିତ ଦୀର୍ଘ ସମୟ ଧରି ଚାଟିଂ ଜାରି ରଖିଥିଲେ ଏବଂ ଯଦି ପରିବାର ସଦସ୍ୟ ତାଙ୍କୁ କୌଣସି କାମ କରିବାକୁ କହୁଥିଲେ, ତେବେ ସେ ତାହା କରୁନଥିଲେ । ପରିବାର ସଦସ୍ୟ ନିର୍ବନ୍ଧ ପରେ ରାମକୃଷ୍ଣଙ୍କୁ ଅନ୍ୟ ଝିଅଙ୍କ ସହିତ କଥାବାର୍ତ୍ତା ହେବାକୁ ମନା କରୁଥିଲେ ବି ସେ ଶୁଣୁନଥିଲେ । ପ୍ରାୟ ଦୁଇ ସପ୍ତାହ ପୂର୍ବେ ରାମକୃଷ୍ଣଙ୍କ ନିଖୋଜ ରିପୋର୍ଟ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପୁଲିସ ନିକଟରେ ଦାଖଲ କରାଯାଇଥିଲା । ଆଉ ଗତକାଲି ପୋଲିସ ନଦୀରେ ଭାସୁଥିବା ଅବସ୍ଥାରେ ରାମକୃଷ୍ଣଙ୍କ ମୃତଦେହ ଜବତ କରିଥିଲା । ମୃତ ଦେହର ହାତ ପଛରେ ବନ୍ଧା ହୋଇଥିଲା । ପୋଲିସ କହିଛି ଯେ ରାମକୃଷ୍ଣଙ୍କୁ ତାଙ୍କ ପିତାମାତା ଏବଂ ଭଉଣୀ ବ୍ୟତୀତ ଅନ୍ୟ କେହି ହତ୍ୟା କରିନାହାଁନ୍ତି । ସେମାନେ ତାଙ୍କୁ ଘର ଭିତରେ ହତ୍ୟା କରିଥିଲେ । ତାଙ୍କ ହାତ ବାନ୍ଧି ମୃତଦେହ ନଦୀରେ ଫିଙ୍ଗି ଦିଆଯାଇଥିଲା । ପୋଲିସ ରାମକୃଷ୍ଣଙ୍କ ପିତା, ମାତା ଏବଂ ଭଉଣୀଙ୍କୁ ଗିରଫ କରିଛି ।