ବେଲଗୁଣ୍ଠା: ପ୍ରଥମେ ମିସ୍ କଲ, ପରେ ଦେଖା ସାକ୍ଷାତ, ପ୍ରେମ, ସେକ୍ସ ଏବଂ ଧୋକ୍କା । ବର୍ତ୍ତମାନ ସମୟରେ ଯୁବକଯୁବତୀ ଖୁବ୍କମ୍ ସମୟରେ ପରସ୍ପର ପ୍ରତି ଆକୃଷ୍ଟହେବା ସହିତ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ି ଉଠିବା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ମତାନ୍ତରହେବା ଯୋଗୁଁ ବଡ଼ ଧରଣର ବିଶୃଙ୍ଖଳା ମଧ୍ୟ ସୃ୍ଷ୍ଟି ହେଉଛି । ଏହିଭଳି ଏକ ଘଟଣାରେ ପ୍ରତାରିତା ପ୍ରେମିକା ଥାନାର ଦ୍ୱାରସ୍ଥ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ପ୍ରକାରେ ବେଲଗୁଣ୍ଠା ଅଞ୍ଚଳର ଜନୈକ ୨୦ ବର୍ଷୀୟା ଯୁବତୀ ବ୍ରହ୍ମପୁରର ଏକ କଲେଜ୍ରେ ପାଠ ପଢୁଥିବା ବେଳେ ବ୍ରହ୍ମପୁର ଗୋଷାଣି ନୁଆଗାଁ ଅଞ୍ଚଳର ୨୩ ବର୍ଷୀୟ ସୁନୀଲ ବିଷୋୟୀ ନାମକ ଜଣେ ଯୁବକ ସହିତ ତାର ମିସକଲ୍ରୁ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା ।
ଉଭୟଙ୍କ ମଧ୍ୟରେ ଦେଢ଼ ବର୍ଷ ଧରି ସମ୍ପର୍କ ମଧ୍ୟ ସ୍ଥାପିତ ହୋଇଥିଲା । କିନ୍ତୁ କିଛିଦିନ ପୂର୍ବେ ଉଭୟଙ୍କ ମଧ୍ୟରେ ମତାନ୍ତର ହେବାରୁ ପ୍ରେମିକ ଜଣଙ୍କ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଏବଂ ଭିଡିଓ ସବୁକୁ ଯୁବତୀର ସମ୍ପର୍କୀୟମାନଙ୍କୁ ପଠାଇଥିଲା । ଏଥିରେ ଯୁବତୀ ଜଣଙ୍କ ବିଚଳିତ ହୋଇପଡିବା ସହ ପରିବାର ବର୍ଗଙ୍କୁ ଜଣାଇ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ । ଯୁବତୀ ଜଣଙ୍କ ଏତଲା ପ୍ରକାରେ ପୋଲିସ୍ ୨୩୨ /୨୧ ରେ ଏକ ମାମଲା ରୁଜୁ କରି ଯୁବକଙ୍କ ନାମରେ ମାମଲା ରୁଜୁ କରିବା ସହ ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ୍କୁ ପଠାଇଛି । ଡାକ୍ତରୀ ମାଇନା ପରେ ଯୁବକଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି । ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଘଟଣାର ତଦନ୍ତ କରୁଛନ୍ତି ।